ତଥାପି ବର୍ଷା
ତଥାପି ବର୍ଷା
ତଥାପି ବର୍ଷା ତୁମେ ଭାରି ଅଝଟ
ଅନୁଭୁତିର ସ୍ମୃତିରେ ତୁମେ ଏବେବି
ମୋ ଛାତିରେ ଏଯାଏ ଲହଡି ଭାଙ୍ଗି ଚାଲିଛ ।
ତଥାପି ବର୍ଷା ତୁମେ ଭାରି ଫୁଲେଇ
ମେଘ ସବାରୀରେ ଆସି ଭିଜେଇ ଦିଅ
ଶୁଷ୍କ ହୃଦୟରେ ଝାଉଁଳି ପଡିଥିବା ମୂର୍ଛିତ ମନକୁ ।
ତଥାପି ବର୍ଷା ତୁମେ ଭାରି ଗେହ୍ଲେଇ
ଭଲପାଇବାର ନିଆରା ପଣରେ ପାଦ ଟିପି ଟିପି
ମୋ ଅଗଣାରେ ରିମଝିମ ନୃତ୍ୟ କରିଯାଅ ।
ତଥାପି ବର୍ଷା ତୁମେ ଭାରି ଅମାନିଆ
ଅଜାଣତେ ପଶିଆସ ଦର ଆଉଜା କବାଟ ଖୋଲି
ସନ୍ତର୍ପଣରେ ସମ୍ମୋହିତ କରି ଉଭେଇ ଯାଅ ।
ତଥାପି ବର୍ଷା ତୁମେ ଭାରି ମତୁଆଲା
ତୁମ ସମ୍ମୋହନର ମଦିରା ପିଆଇ
ବେହୋସ କରିଦିଅ
ପୁଣି ପୁନର୍ଜନ୍ମର ମନ୍ତ୍ର ପାଣି ଛିଞ୍ଚି ଉନ୍ମତ୍ତ କରିଯାଅ ।
ତଥାପି ବର୍ଷା ତୁମେ ଭାରି ଅଲାଜୁକି ଝିଅଟିଏ
ମନାକଲାପରେ ବି ଗୁଡେଇ ତୁଡେଇ ଧାଇଁଥାଅ
ମୋତେ ହାତକରି ଆଉ ଦିଘଡି ମୋ ଅଗଣାରେ ରହିଯିବ ।
ତଥାପି ବର୍ଷା ତୁମେ ଭାରି ଅଭିମାନିନୀ
ବାଦଲକୁ ଓଢଣୀ କରି ସ୍ବାଭିମାନେ ଯାଅ ଝରି ଝରି
ମାନ ଅଭିମାନ ସବୁ ତୁମ ପ୍ରଣୟର ଯାଦୁକାରୀ ।
ତଥାପି ବର୍ଷା ତୁମେ ଭାରି ଅମୃତମୟୀ
ତୁମରି ଅମୃତଧାରାକୁ ପାନ କରି ରଜସ୍ବଳା ଧରିତ୍ରି
ପତ୍ର ପୁଷ୍ପ ଫଳରେ ଲାଭକରେ ମାତୃତ୍ୱର ପରମ ତୃପ୍ତି ।

