STORYMIRROR

Arjuni charan Behera

Fantasy Others

3  

Arjuni charan Behera

Fantasy Others

ଶେଷ ଶ୍ରାବଣ

ଶେଷ ଶ୍ରାବଣ

1 min
195


ଶ୍ରବଣା ତାରକା ନିଷ୍ପ୍ରଭ ନଭେ l

      ଶ୍ରାବଣ ଅଶନୀ ନଶୁଭେ ଦମ୍ଭେ ll

ଧାରା ଶିରାବଣ ବରଷା କାଳ l

      ତାଳ ଗଛେ ସବୁ ସରିଲା ତାଳ ll


କଦମ୍ବ କୁସୁମ ହେଲେ ମଉନ l

     ବୃନ୍ଦାରଣ୍ୟେ ବିଜେ ରମାରମଣ ll

ଘନ ବିଦ୍ୟୁଲତା ବରଷା ଧାରା l

        ଦିନ ଲାଗୁଥିଲା ରାତିଟି ପରା ll


ଘୋର ବରଷାରେ ପଖିଆ ଭିଡ଼ି l

      ଚଷାଭାଇ ଦେଲା ବିଲ ବେଉଡ଼ି ll

ମୟୁର ଗଣଙ୍କ ପ୍ରେମ ନର୍ତ୍ତନ l

    ଶେଷହେଲା ଦେଖି ଶେଷ ଶ୍ରାବଣ ll


ନ ଶୋଭଇ ନଭେ ଶକ୍ର କାର୍ମୁକ l

         କବି ଭାବୁକର ଭାବ ଉଦ୍ରେକ ll

ଉଦେହେଲେ ଲୁପ୍ତ ତାରକା ଭାଇ l

    କାଶ ଫୁଲେ ନଦୀ ପଠା ଶୋଭଇ ll


ଶିବ ପିଠେ ଭିଡ଼ କାଉଡ଼ି ଭାଇ l

   ଜାହ୍ନବୀ ଜଳରେ ଦେଲେ ଗାଧୋଇ ll

କୃଷକ ଘରଣୀ ଚିତୋଉ ପିଠା l

      ପିଢ଼ାରେ ମାଡ଼ିଲା କୁଆ ମଣିତା ll


ଭାଇଙ୍କୁ ଭଉଣୀ ବାନ୍ଧିଲେ ରାକ୍ଷୀ l

      କାଳେ କାଳେ ଥିବ ମହତ ରଖି ll

ଜନମ ଲଭିଲେ ଶ୍ରୀବଳଦେବ l

        ଚଷାପୁଅ ପୂଜ୍ୟ ଇଷ୍ଟ ବାନ୍ଧବ ll


ଝୁଲଣ ପୂର୍ଣ୍ଣିମା ରାଧା ଗୋବିନ୍ଦ l

       ଝୁଲିରେ ଝୁଲିଲେ ପରମାନନ୍ଦ ll

ଘନ କାଳ ଜନ ମଙ୍ଗଳ କାରୀ l

       ପରଜା ପାଳନେ ବର୍ଷିଲେ ହରି ll


ଶିରାବଣ ଶେଷେ ମାସ ଭୋଦୁଅ l

       ଗୋପେ ଜନମିବେ ଗଉଡ଼ ପୁଅ ll

ଆସିଲେଣି ମାଆ ଖୁଦୁରୁକୁଣୀ l

       ଖୁଦ ଭଜାରେ ପୁଜିବେ ତରୁଣୀ ll


ଗଜ ବଦନଙ୍କ ଦିବ୍ୟ ପୂଜନ l

        ବିଦ୍ୟାଦାତା ପ୍ରଭୁ ବିଘ୍ନ ନାଶନ ll

ଶରଦର ଭୟେ ଗଲା ବରଷା l

      ପ୍ରଭୁଙ୍କ ପୟରେ ମୋର ଭରସା ll

             

                 

           


Rate this content
Log in

Similar oriya poem from Fantasy