ମିଛ ଶୃଙ୍ଗାର
ମିଛ ଶୃଙ୍ଗାର
ଆଖିରେ ନାଇଲୁ ମିଛର କଜ୍ଜଳ
ଓଠକୁ ରଙ୍ଗେଇ ଦେଲୁ
ମିଛର ଲାଲିମାରେ
ମିଛ ପାଦରେ ବାନ୍ଧି ଘୁଙ୍ଗୁର
ବିମୋହିତ କଲୁ ଜଗଜ୍ଜନଙ୍କୁ।
ମିଛିମିଛିକା ହସମାଖି
ଓଠ ଧାରରେ
ଆଖି ଉପକୂଳରୁ
ଲୁଚେଇ ଦେଲୁ ଲୁହ ବୁନ୍ଦାକ।
ମିଛର କବନ୍ଧରେ ଲମ୍ବେଇ ଦେଇ
ବରଣ ମାଳା
ମିଛର ବାହୁ ବେଢାରେ
ଘର ସଂସାର କଲୁ
ବେପାର ବଣିଜ କଲୁ,
ମିଛର ହାଟରେ ହିସାବ ଖୋଜୁ ଖୋଜୁ
ଲାଭ କ୍ଷତିର
ସତସତିକା ଭଲ ପାଇ ଗଲୁ କେମିତି!
ଏବେ କେଉଁ ସତର ପ୍ରେମ ଚିଠିକୁ ବାହୁନି
ଭଜାଡି ଦେଉଛୁ ଲୋ ସଜନୀ?
କେଉଁ ସତର ବଂଶୀ ସ୍ବନରେ
ପାଶୋରି ଯାଉଛୁ
ଗଜଲର ସୁର!
ଏବେ ପାଦକୁ ଆହୁରି ଟାଣ କର ସଜନୀ
ଆହୁରି ଜୋର କର ବାହୁ ବେଢାକୁ ବେଳହୁଁ।
ମିଛର ଚିବୁକରେ ଚୁମା ଆଙ୍କି ଦେଖ
କେମିତି ସତର ଶୀତ୍କାରରେ
ଶିହରି ଯାଉଛି ତୋର ସଂସାର,
ଦେଖ ,ସଜନୀ! ଦେଖ।