ପ୍ରିୟା-୪୮
ପ୍ରିୟା-୪୮
ହସି ଦେଲେ ବହେ ମଳୟ ପବନ
ଫୁଟିଯାଏ କୃଷ୍ଣଚୂଡ଼ା
ତରୁରେ ତରୁରେ ବସନ୍ତ ବିହରେ
ଋଷିଗଲେ ପତ୍ରଝଡ଼ା
ଅଭିମାନ କଲେ ବରଷା କାନ୍ଦୁଛି
ଭସା ମେଘେ ମଥା ପିଟି
ତମେ, ରାଗି ଗଲେ ଜଳେ ନିଦାଘ ନିର୍ଜନେ
ଶୁଖିଯାଏ ମରୁ ତଣ୍ଟି
ସଦ୍ୟ ପ୍ରସ୍ଫୁଟିତ ଗୋଲାପଟେ ପରି
ତମେ ଗଲେ ଟିକେ ଲାଜେଇ
ଶୀତର ଦେହଟା ଶୀତେଇ ଉଠୁଛି
ଅଳସରେ ମାରୁଥାଏ ହାଇ
ସଜଳ ନୟନେ କଜଳକୁ ଦେଖି
ରାତି ସିନା ଦିଏ ହସି
ଶୁଭ୍ର ଚନ୍ଦନର କୁଙ୍କୁମକୁ ଦେଖି
ଜହ୍ନ ଯାଏ ଋଷି ଋଷି
ରକ୍ତଜବା ଝୁରେ ଅଳତା ହେବାକୁ
ଦେଖି ତୁମ ପାଦ ଖାଲି
ରାଜହଂସୀ ଧାଏଁ ପଛେ ପଛେ ତୁମ
ଶିଖିବାକୁ ତୁମ ଚାଲି
ହାର୍ ମାନି ଧରି କୋଇଲି ମେଳାଏ
ବେସୁରା ରାଗିଣୀ ଭୟେ
ସକାଳ ବନ୍ଦନା ଝଙ୍କାର ତୋଳେ
ଶୁଣି ତୁମ କଣ୍ଠ ପ୍ରିୟେ
କେତେ ମୁଁ ବର୍ଣ୍ଣିବି କୁହ ?
ପ୍ରିୟା ଅବର୍ଣ୍ଣନୀୟ ତ ରୂପ
ବାମନ ହେଇକି ଚାନ୍ଦ ଧରିବାର
କଲି କିବା ମହାପାପ
ବାରେ ଦିଅ ଧରା
ନୟନରୁ ମୋର ଶୁଖିଯାଉ ପ୍ରିୟା
ଲୁହ ଧାରା
ବାରେ ଦିଅ ଧରା
ପ୍ରିୟା.....।