ଶୀତଳ ମୃତ୍ୟୁ
ଶୀତଳ ମୃତ୍ୟୁ
"ମୁଁ କାଲି ମରିଯିବି"
ଏମିତି କହି କହି
ଜୀଇ ପାରିଲିନି ଦଣ୍ଡେ।
ଓଠ ଖୋଲୁ ଖୋଲୁ
ଦୁଃଖର ଅଥାର ହାଣ୍ଡି
ଲଦି ସାରିଲୁଣି ହସ ମୁହଁରେ।
ପ୍ରେମ କଲେ
ଏଡ୍ସ ହେବ କହି
ଓଲଟ ଭୂତାଣୁ ଭୟେ
କୋଉ ଦିନୁଁ ଏକାନ୍ତ ବାସରେ
କଳକଣ୍ଠୀ ।
ଗୀତ ଗାଇବାକୁ
ଗଳା ଖୋଲୁ ଖୋଲୁ
ସଂସାର ଯାକର ଭିଆଣ।
କାହାର ନୀଳ ଶାଢ଼ୀ ଦେଖି ପଦଟେ ଲେଖିଦେଲି ତ
ପରାର୍ଦ୍ଧେ ପରଓ୍ବାନା ନେଇ
ସଦଳବଳେ ହାଜର ମୋ ଦୁଆରେ।
ଯୁଗ ଯୁଗ ଜୀଇବାକୁ
ମନ ବଳାଇଲି ଯେ
ଜଉଘରୁ ମୁକୁଳିପାରିଲି କୋଉ?
ମୃତ୍ୟୁ ମିଥ୍ୟା ଜଗତ୍ ସତ୍ୟ
ଭାବି ଥିଲି ଯେ ,
ଭାବ ଦେଉଳର ମୁଖଶାଳାରେ
ଶବଙ୍କ ଶୃଙ୍ଗାର ଦେଖି
ଚିତ୍ ପଟାଙ୍ଗ ପ୍ରେମ।
ୟୁକ୍ରେନରେ ବରଫ ପଡ଼ୁଚି
ସୋମାଲିଆର ପେଟରେ
ଫୁଟୁଚି ତାତି
ଷ୍ଟକ୍ ଏକ୍ସଚେଞ୍ଜରେ ହଲଚଲ
ଆଉ ଜୀଇ ହବନି କହି
ଦେଶାନ୍ତରୀ ପକ୍ଷୀ ଫେରିଗଲେଣି ସାଇବେରିଆ।
କୋଉ ଯୁଦ୍ଧକୁ ଡର ପ୍ରିୟତମା,
ଏମିତି କଥାରେ କଥାରେ
ଆଉ ହାଣନା,
ଇଏ ତ ମରଣ ନୁହେଁ ହତ୍ୟା,
ମୋତେ ଛାଡ଼୍
ଏପ୍ରିଲ ମାସର ଖରା
ଏଣେ ଶୀତରେ ଥରୁଛି ଧରା
ମାପିନିଏ ଛାତିର ପାରା।
ଇଏ ତ କୋଳାକୋଳିର ସଂସାର
କୋଟି କେଳିର ଭାବ ନଥିଲେ
ଇଏ କି ଜୀବନ!
ଇଏ ତ ଶୀତଳ ମୃତ୍ୟୁ,
ଯୁଦ୍ଧ ଭୂଇଁ ତ ତାଠାରୁ ଭଲ।
