STORYMIRROR

BinayaKumar Mohanty

Fantasy Others

4  

BinayaKumar Mohanty

Fantasy Others

ସମୁଦ୍ର

ସମୁଦ୍ର

1 min
231


କାହାର ଏତେ ଲୁହକୁ

ସାଇତିଛି ସମୁଦ୍ର

ଯେ ଏତେ ଲୁଣି ,ଏତେ ବିଶାଳ!


ଏତେ ବିଷର୍ଣ୍ଣ ମୁଣ୍ଡ ଉପର ଆକାଶ

କୂଳରେ ଏତେ କୋଳାହଳ

ଏତେ ପ୍ରେମ ଏତେ ମାର ପିଟ୍ 

ଅବିରତ ଢେଉ

ଅଥଚ ଏତେ ସ୍ଥିର ପ୍ରଶାନ୍ତ ଛାତି!


କେତେ ଅନ୍ଧାର,

କେତେ ଜୀବନ୍ତ ଜାନ୍ତବତା

କେତେ ନିରୀହ ଭୋକ

କେତେ ଅପ୍ରାପ୍ତି,

କେତେ ସ୍ବପ୍ନ ଭଙ୍ଗର

ତାଜା ଖବର ଅଣଦେଖା

କେତେ ଲୁହଭିଜା ଇତିହାସର

ଫର୍ଦ୍ଦ ଫର୍ଦ୍ଦ ପୃଷ୍ଠା ମିଳେଇ ଯାଏ

ତାର ଅଚକର ଢେ଼ଉରେ!


କେଉଁ ନାବିକ ନୌକା ବିହାର ପରେ

ଫେରେ ସଂଧ୍ୟାରେ ,କିଏ ଫେରେ ନାହିଁ 

କିଛି ହିସାବ ନଥାଏ।


କେବେ କେବେ ସୂର୍ଯ୍ୟ ମୁହାଁ ପକ୍ଷୀ

ଅଧା ଆକାଶରୁ ଖସିପଡେ

କେବେ ସମୁଦ୍ର ସ୍ନାନ ବେଳେ

ପ୍ରିୟତମର ନିବିଡ ଆଲିଙ୍ଗନରୁ 

ଖସି ଖସି ଯାଏ ପ୍ରେମ।


କେବେ ଧ୍ୟାନରତ ତପସ୍ୱୀଟିଏ 

ମୁକ୍ତି ଖୋଜେ।


କାହାର ପ୍ରଶ୍ନ କି ଜିଜ୍ଞାସା

ଅର୍ଥହୀନ,କାହାର ଲୋଡିବା ପଣ

କାହାର ଘୃଣା ,କାହା ହାର ଜିତ୍

ଶୋକ ସନ୍ତାପର ହିସାବ ରଖେନା।


ପିଲାଟିଏର କାନ୍ଦ

ତାର ଅନବରତ ବ୍ୟସ୍ତ ପଣ

ମୁଁ ଦେଖେ,

ମୋର ଖୁବ୍ ପାଖରେ

ହୁଏତ ମୋର ଏତେ

ଆତ୍ମୀୟ ଯେ

ତାର କାନ୍ଦ ଯେମିତି ମୋର।


ସଞ୍ଜ ଫେରାଣିରେ

ଜଣକ ପରେ ଜଣେ ନିଜ ନିଜର

ସୁଟକେଶ ସଜାଡ଼ିବା

ବତୀଘରଟିଏ ଧ୍ୟାନ ମଗ୍ନ

ଋଷିଟିଏ ପରି ଦୂରନ୍ତକୁ ଚାହିଁ 

ରହିବାର କାରଣ ଖୋଜେ 

ପ୍ରଶ୍ନ କରେ ନିଜକୁ, 

କେବେ ସମୁଦ୍ରକୁ

ଉତ୍ତର ବଦଳରେ 

ଫେରି ଆସୁଥାଏ ପ୍ରଶ୍ନ।


ଅଥଚ ସଦା ଉଦାସୀ ଝାଉଁ ଗଛ

ଅନ୍ଧାରର ଘନଘୋର ଗର୍ଜନ ସାଙ୍ଗକୁ

ସମୁଦ୍ରର ଅନାସକ୍ତ ପ୍ରଶାନ୍ତି

ବିମୁଗ୍ଧ କରେ।


ସଂସାର ଯାକର ଲୁହ ଶୋଷୁଥାଏ

ଅଥଚ ତାର ହସ କାନ୍ଦ କିଛି ନଥାଏ

କେମିତି ନ କାନ୍ଦି ରହିପାରେ,

ପିଲାଟି ସତେ ପାଲଟି ଯାଆନ୍ତା ନାହିଁ

ସମୁଦ୍ର ଟିଏ!

ବିଶାଳ ଅଥଚ ପ୍ରଶାନ୍ତ

ପ୍ରେମରେ ତଲ୍ଲୀନ

ଅଥଚ ବିଲୀନ ନିଜ ପଣରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy