କୋଉ କାମକୁ!
କୋଉ କାମକୁ!
କାଲି ପ୍ରଳୟର କି ମଳୟର
ନା ତୁ ଜାଣୁ,ନା ମୁଁ।
ପରସ୍ପରର ଅଜନବୀ ଆମେ
ଅନେକ ପ୍ରେମ କଲେ
ଅନେକ ଲଢିଲେ।
ସ୍ମୃତିର ଟିପାଖାତାରେ
ସମଦଶାରେ ସମ୍ଭୋଗ ଓ ସନ୍ନିପାତ।
ଏବେ କହୁଚୁ
ଏ ସାଜସଜ୍ଜା,ଆଡମ୍ବର
ମଞ୍ଚ ଓ ମହୋଲ୍ଲାସ
ଏ ପ୍ରେମ,ଏ ପ୍ରତିଶ୍ରୁତି
କାମକୁ ନୁହେଁ !
କହୁଛୁ,
ଏ ସଂସାର,
ଏ ମୋହଗ୍ରସ୍ତ ମାୟାଭୂମି
ସବୁଜ ରଙ୍ଗର ଉତ୍ତାଳ ଉର୍ମି
ସବୁ ମିଛ ,ମନର ଭ୍ରମ!
ସକାଳର ସୁନେଲି ସପନ
ସୂର୍ଯ୍ୟ ମଥାନ ଛୁଇଁଲା ବେଳକୁ ଲାଲ୍,
ସଞ୍ଜକୁ ଧୂସର ପାଲଟେ।
ପହିଲି ପରଶର ଶୀତ୍କାର
ଦିନେ ଗୋଦରା ଲାଗେ,
ସବୁଠୁ ପ୍ରିୟ ଓଠ ହୁଏ
ସବୁଠୁ ଘାତକ ଆୟୁଧ।
ଏ ସବୁ କଥା ଆଉ
ଗହନ ହୋଇ ନାହିଁ
ଅଛୁପା ହୋଇ ନାହିଁ
ଆମେ କେହି କାହାର
ନୁହଁ ବୋଲି।
ଆଉ ହିସାବ ଖାତା
ଦେଖାନା,
ତୋତେ ମୋତେ ନେଇ
ଯେଉଁ ସବୁ ଗୁଜବ
ଉଠେଇ ଥିଲେ ଲୋକେ
ତାର ନାଁ ମୁଁ ପ୍ରେମ ବୋଲି
ଦେଇ ସାରିଛି।
ପରସ୍ପରର ଆଖିକୁ
ଫିଙ୍ଗିବାକୁ ଧରିଥିବା ମୁଠାକ
ଲଙ୍କାଗୁଣ୍ଡ ରେ ପାନପତ୍ରର
ଛବି ଆଙ୍କୁଛି।
ଆମ ଭିତରେ ଥିବା
ଅବଶିଷ୍ଟ ଅନ୍ଧାରକୁ ନେଇ
ଆଙ୍କୁଛି ଆଲୁଅ,
ଏ ଗୀତକୁ ବେକାର କହନା।
ଏ ଭେଟାଭେଟି,
ଆଖିରେ ମିଶିବା ଆଖି,
ଚୁମ୍ବନ ଆଲିଙ୍ଗନ
କହନା,କୋଉ କାମକୁ ନୁହଁ।
କହନା କିଛି ନୁହଁ ମୁଁ,
କିଛି ନୁହଁ ତୁ।