ଚାଲ ଆଇସକ୍ରିମ୍ ଖାଇବା
ଚାଲ ଆଇସକ୍ରିମ୍ ଖାଇବା
ଗ୍ରୀଷ୍ମର ପ୍ରଚଣ୍ଡ ନିଦାଘ ରୌଦ୍ରତାପରେ
ଡମ୍ ଡମ୍ ଡମ୍ବରୁର ସ୍ବର
ମନ ଗହନ ବନେ ଶୀତଳ ଶିହରଣ ଆଙ୍କେ
ଆଇସକ୍ରିମ୍ ବାଲା ଅଙ୍କଲର ଡାକ ଶୁଭୁଥାଏ
ଆସରେ ପିଲେ ଆସ
ଆଇସକ୍ରିମ୍ ଖାଇବ ଆସ
ଆହା କି ସ୍ବାଦିଷ୍ଟ ସୁନ୍ଦର
ଆଇସକ୍ରିମ୍ ରେ ପଡିଛି ନଡିଆ କ୍ଷୀର
ଭାରି ସୁଆଦିଆ ନାଲି ନୀଳ ରଙ୍ଗର
ଖାଉଥିବ, ଗୁଣ ଗାଉଥିବ
ପଇସା ନାହିଁ ତ
ବିରି, ଚାଉଳ ବଦଳେଇ ନେବ ।
କୁନା କୁନି ଯେତେ ପିଲାଦିନ ସାଥୀ
ମାଆ ପଣତ ଧରି ଅଝଟ କରନ୍ତି
ଶୋଇବା ଶେଯ ଛାଡି ଦାଣ୍ଡକୁ ଆସନ୍ତି
ଆଇସକ୍ରିମ୍ ଟିଏ ଖାଇ ଖୁସି ହୁଅନ୍ତି।
ବିଚରା ଆଇସକ୍ରିମ ବାଲା ଅଙ୍କଲ
ଖରାବେଳଟା ସାରା ହୁଏ କଲବଲ
ଦିପୈସା ଲାଗି ଛାତିକୁ କରିଛି ପଥର
ବିକେ ଆଇସକ୍ରିମ୍ ପିଏ ନଳକୂପ ଜଳ।
ପୁରୁଣା ସାଇକେଲ୍ ଖଣ୍ଡିକ ତା'ର ସାଥୀ
ହାତେ ଡମ୍ବରୁ ସାଇକେଲ୍ ପଛେ ପେଟି
ଛୁଆ ଠାରୁ ବୁଢା ସମସ୍ତେ ଭଲ ପାଆନ୍ତି
ନିଜ ଦୁଃଖ ଚାପି ଅନ୍ଯକୁ ଖୁସି ବାଣ୍ଟୁଛି।
ଖରା ବରଷାକୁ ନଥାଏ ତା'ର ଡର
ବିକୁଥାଏ ଆଇସକ୍ରିମ୍ ଦିନ ଯାକର
ପେଟ ପିଠି ପାଇଁ କରେ ରୋଜଗାର
ଏକା ପ୍ରଭୁ କୃପା ସିନା ଭରଷା ତା'ର।
ମୋ ପିଲାଦିନ ସାଥୀଙ୍କ ମେଳରେ
ଜଣା ପଡେନା ସମୟ ବିତିଯାଏ
ଗାଁ ଦାଣ୍ଡ ଉଛୁଳେ ଖେଳ କୁଦରେ
ଡର ଭୟ କେବେ ମନେ ନଥାଏ।
