STORYMIRROR

Gunanidhi Samal

Fantasy

3  

Gunanidhi Samal

Fantasy

ଜୀବନ ସଙ୍ଗୀତ

ଜୀବନ ସଙ୍ଗୀତ

1 min
152

ଧୀରେ ଧୀରେ ମାଡ଼ିଆସେ ରାତି

ବଢ଼ିବଢି ଯାଉଛି ବୟସ,

ଦିକ୍ ଦିକ୍ ଜଳେ ସଞ୍ଜବତୀ

ସରି ସରି ଆସୁଛି ଆୟୁଷ। 

ଶୂନଶାନ୍ ନିଃଶବ୍ଦ ପ୍ରହରେ

କାନ୍ଦେ କେହି ବାହୁନି ବାହୁନି,

ରହି ରହି ଶୁଭେ ଥରେ ଥରେ

ଉଠ ଉଠ ଆରେ ଧନମଣି ।

ଏବେ ଏବେ ଯିବା ସାଥୀହୋଇ

ଦୂରେ ଦୂରେ କାହିଁ କେତେଦୂରେ,

ପାଦେ ପାଦେ ଆଗପଛ ହୋଇ

ସୀମାହୀନ ସୀମାନ୍ତ ସେପାରେ ।

ଟିକି ଟିକି ତାରାଙ୍କ ମେଳରେ

ଲୁଚକାଳି ଖେଳ ଖେଳେ ଜହ୍ନ,

ଗୋଟି ଗୋଟି ଫୁଲଙ୍କ ଦେହରେ

ମନ୍ଦ ମନ୍ଦ ବହେ ସମୀରଣ ।

ପାହି ପାହି ଆସେ ବିଭାବରୀ

ଲିଭି ଲିଭି ଯାଏ କୁଆଁତାରା,

ଶୁଭିଲାଣି କିଚିରି ମିଚିରି

ଖିଲିଖିଲି ହସିଲାଣି ଧରା ।

ଏବେ ଏବେ ଫେରିବାକୁ ହେବ

ଏକା ଏକା ନିର୍ଜନ ପ୍ରାନ୍ତରେ,

କିଏ ଜାଣେ ଜୀବ ଚାଲିଯିବ

ଚାଲୁ ଚାଲୁ ଏଇ ପଥଧାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy