ଅକୁହା କଥା
ଅକୁହା କଥା
ମରମର ବ୍ୟଥା ଅନ୍ତରର କଥା
କା ଆଗେ କହି ହୁଏନା
ମନେ ମନେ ସିନା ଗୁଣି ହେଉଥାଏ
ସେ ଯେ ଅବୁଝା ବେଦନା ।
ଅନ୍ତରେ ସାଇତା ସତେକି ଶାମୁକା
ଗରଭେ କି ମୋତିଦାନା
ଅତି ଆପଣାର ନିହାତି ନିଜର
ସେଯେ ମଧୁର ଯନ୍ତ୍ରଣା ।
ଯାହାତ ଯାଇଛି ଯାହା ମୁଁ ପାଇଛି
ତାକୁ ହରାଇବି ସିନା
ମନ ମୁଲକରେ ଶରଦ ଚନ୍ଦ୍ରର
ସୁ ଶୀତଳ ଶୁଭ୍ର ଜ୍ୟୋତ୍ସ୍ନା ।
ଅବ୍ୟକ୍ତ ଅମୂଲ୍ୟ ଅକୁହା କଥାଟି
ମଉନେ ଗୁମୁରେ ସିନା
ମନରୁ ପାଶୋର ହୁଏନା ଜମାରୁ
ବେଦବା ଭରା ଯାତନା ।
ଯାହା ପାଇଁ ମନ ବେଦନା ରେ ଭରା
ସେ ଯେ ସେତକ ବୁଝେନା
ପ୍ରିୟତମ ଯେବେ ପ୍ରତାରଣା କରେ
କା ଆଗେ କହିବ କହନା ।
ଯା ପାଇଁ ଲଙ୍ଘିଲି ସୀମା ରେଖା ମୋର
ସେ ଯେବେ କଥା ବୁଝେନା
ନିରିଦୟ ହୋଇ ସେଇ ଯେ ଯାଇଛି
ପଛକୁ ଫେରି ଆସେନା ।
ମନକଥା ଖୋଲି କହିଦେଲେ ଥରେ
ମନଟି ହାଲୁକା ସିନା
ଏମିତି ଅକୁହା କଥାଟିଏ ଆହା
କା ଆଗେ କହିହୁଏ ନା ।
ମନକଥା ମନେ ମରେ ମୁକୁଳା ଯେ
କରି କେବେ ହୁଏନା
ଅବ୍ୟକ୍ତ ଅପାଶୋରା ମଧୁଭରା ସେ
ସ୍ମୃତି ଅକୁହା ଯାତନା ।
