STORYMIRROR

Chinmaya Kumar Nayak

Abstract Fantasy

3  

Chinmaya Kumar Nayak

Abstract Fantasy

ସନ୍ତାନ

ସନ୍ତାନ

1 min
207

ନବ ପୁଷ୍ପଟିଏ ଫୁଟିବା ଉଦ୍ୟତ

ଦ୍ୱାର ବନ୍ଧେ କେହି ପ୍ରତୀକ୍ଷାରେ,

ଉତ୍କଣ୍ଠିତ ଚିତ୍ତେ ସାନ୍ଦ୍ର ସେ ରୋମାଞ୍ଚ

ଲୁଚି ହସେ କେହି ଅଲକ୍ଷ୍ୟରେ। 


ଖବର ତା ବହୁ ପୂର୍ବରୁ ମିଳିଛି

ନୂଆ ସମ୍ପର୍କର ବାରତା ଆଣିଛି,

ହୃଦ ଭରା ମୋହାସକ୍ତ ଅଭିସାରେ

ତା ଚର୍ଚ୍ଚାରେ ମୁଁ ସବୁ ପାଶୋରିଛି।


ଘନ ହୃଦ ନଭ ବିଘଟନ କରି 

ଅଙ୍ଗ ସାରଙ୍ଗ ସେ ବିଜେ କଲା,

ସହସା ସୁବର୍ଣ ସୌଦାମିନୀ ଯେହ୍ନେ

ବିଭୁଦତ୍ତ ପ୍ରାଣ ଉଭା ହେଲା।


ବିଛାଡ଼ି ପଡ଼ିଲା ଶୀତଳ ସ୍ଫୁଲିଙ୍ଗ

ଚିତ୍ତ ପଦ୍ମ ରୋମାଞ୍ଚିତ ହେଲା,

ଯୁଗଳ ପରାଣ ବିଗଳିତ କରି

ନବ ସ୍ୱରେ କର୍ଣ ତୃପ୍ତ ହେଲା।


ସେ ମଧୁ ସ୍ଵନରେ ଜାଗରିତ ହେଲା

ବିଶୁଦ୍ଧ ଆସକ୍ତି ମହାଭାବ,

ସଘନ ତମିସ୍ରା ବିଦୁରିତ ହେଲା

ବିଭୋର ହେଲା ଏ ଅନୁଭବ। 


ସହସ୍ର ଅରୁଣ ମୟୁଖ ପ୍ରକାଶି

ଆନନ୍ଦର ଧାରା ସଂଚରିଲା,

ଜୀବନ ଯାମିନୀ ହେଲା ଅନ୍ତର୍ହିତ

ଅଦିନେ ଫଗୁଣ ଚମକିଲା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract