ଧନ୍ୟରେ ତୁହି ବୃଦ୍ଧାଶ୍ରମ
ଧନ୍ୟରେ ତୁହି ବୃଦ୍ଧାଶ୍ରମ
ଧନ୍ୟରେ ତୁହି ବୃଦ୍ଧାଶ୍ରମ
============
ଧନ୍ୟରେ ତୁହି ବୃଦ୍ଧାଶ୍ରମ l
କଳିରେ ଲଭିଛୁ ଜନମ ll
ଏ କଳି ଧର୍ମର ପ୍ରଚାର l
ତେଣୁ ତୁ ଲଭୁଛୁ ବିସ୍ତାର ll
ଆଶ୍ରୟ ଦେଉ ନିରାଶ୍ରିତେ l
ଏଣୁ ମୁଁ ପ୍ରଶଂସଇ ତୋତେ ll
ପିଲାଏ ପାଠ ଶାଠ ସାରି l
ବିଦେଶେ କରିଲେ ଚାକିରୀ ll
ମୁମ୍ୱାଇ ଦିଲ୍ଲୀ ବାଙ୍ଗାଲୋର l
ଅଥବା କେହୁ ସିନ୍ଧୁ ପାର ll
ସୁନାର ଦେଶ ଆମେରିକା l
ଋଷିଆ କାନାଡ଼ା ଆଲାସ୍କା ll
ଜର୍ମାନୀ ଜାପାନ ଇଂଲଣ୍ଡ l
ଦୁବାଈ ଚୀନି ଆୟାର୍ଲାଣ୍ଡ ll
କଙ୍ଗାରୁଦେଶ କେହୁ ଗଲା l
ସେଠାରେ ବାସିନ୍ଦା ହୋଇଲା ll
ଟଙ୍କା ଗଣନ୍ତି ବିଡ଼ା ବିଡ଼ା l
ବାପା ମା ସଭିଙ୍କ ଅଲୋଡ଼ା ll
ଆମେ ତ ସବୁ ବ୍ୟସ୍ତ ବ୍ୟସ୍ତ l
କେ ନେବ ସେମାନଙ୍କ ଯତ୍ନ ll
ହୋଟେଲ କ୍ଲବ ଆମ୍ଭ ଆଡ୍ଡା l
ପାଶୋରୁ ଦିନେ ହେବୁ ବୁଢ଼ା ll
ସମୟ ଆମ ପାଖେ କାହିଁ l
ଭୁଲିଲୁ ଭିଟା ଜନ୍ମ ଭୂଇଁ ll
ଜନମ ଦାତା ଜନ୍ମଦାତ୍ରୀ l
ବିଧିରେ ପିତର ବୋଲାନ୍ତି ll
ବୃଦ୍ଧାଶ୍ରମରେ ଦେବୁ ଛାଡ଼ି l
ଦେବୁ ଗଣ୍ଡାଏ ତାଙ୍କୁ ପଡ଼ି ll
ମୃତ୍ୟୁ ତାଙ୍କର ସେହିଠାରେ l
ଶୋକ ପାଳିବୁ ହୋଟେଲରେ ll
ଏ ନବ୍ୟ ସଭ୍ୟଙ୍କ ସଭ୍ୟତା l
ସଭ୍ୟ ସମାଜେ ଏ ହିନସ୍ଥା ll
ଜରା ହୋଇଲା ଅଭିଶାପ l
କାହାକୁ କହିବିରେ ବାପ ll
କାଳ ହୋଇଲା ବୃଦ୍ଧକାଳ l
ବୃଦ୍ଧଙ୍କ ତୁ ଏକା ସମ୍ବଳ ll
ନିରାଶ୍ରିତଙ୍କୁ ତୁ ଆଶ୍ରୟ l
ତୁ ଧନ୍ୟବାଦାର୍ହ ନିଶ୍ଚୟ ll
ଏ ଆଧୁନିକ ଯୁଗ ଧର୍ମ l
ଧନ୍ୟ ତୁ ଧନ୍ୟ ଜରାଶ୍ରମ ll
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
