କିଛି ବାକି ରହିଗଲା
କିଛି ବାକି ରହିଗଲା




ଯେମିତି ଚିତ୍ରଟିଏ
ଶେଷ ସ୍ପର୍ଶ ପାଇଲା ପରେ ବି
କଳାକାରର ହୃଦୟକୁ
ଗୋଟିଏ ଅଜଣା ଅଭାବ ବୋଧ
କୋରି ପକାଏ ।
କବିତାଟିର ଭାବ ଆଉ ଭାଷା
ମନଛୁଆଁ ହେଲେ ବି
ହୃଦୟକୁ ଅଖଞ୍ଜିଆ ଲାଗୁଥିବାରୁ
ଅସହାୟ କବିଟିର ଅନ୍ତର
ଆଉଟି ପାଉଟି ହେଉଥାଏ ।
ପତ୍ରଟି ଝଡ଼ିଯାଇ ବି
ଟିକିଏ ମାତ୍ର ଲାଗିରହି
ହଲହଲ ହେଉଥାଏ ।
ପୁଣି ଯେମିତି ଗାଡ଼ି ଛାଡ଼ିବା ପରେ
ଜଣେ ଦୁଇଜଣ ରହିଗଲେ
ଷ୍ଟେସନରେ ଶେଷ ମୁହୁର୍ତ୍ତରେ ।
ଆଖିଟା କାଳେ ସବୁ କୁହେ
କିଛି ଲୁଚାଇ ପାରେନି
ତେଣୁ ଫେରିଲା ବେଳେ
ତା' ଆଖିକୁ ସେ ଚାହିଁଲାନି
କି ନିଜ ଆଖିକୁ ଦେଖେଇଲାନି ।
କିଏ ଜାଣେ ,
କ'ଣ ଲୁଚି ରହିଥିଲା
ଆଉ ବାକି ରହିଗଲା
ଦୁହିଁଙ୍କ ହୃଦୟ ଭିତରେ ?