କାଚ କେନ୍ଦୁ ଆଖିରେ ଚାହିଁଲେ ରହସ୍ୟ
କାଚ କେନ୍ଦୁ ଆଖିରେ ଚାହିଁଲେ ରହସ୍ୟ
ଚିନ୍ତା ଶୂନ୍ୟ ସ୍ଥିର କାଚ କେନ୍ଦୁ ଆଖିରେ ତୋତେ ଚାହିଁଲେ
ତୋ ମୋ ମଧ୍ୟରେ ବ୍ୟବଧାନ କ୍ଷଣକେ ମିଳାଇ ଯାଏ
' ମୁଁ ' ଆଉ ' ମୋର ' କୁ ନେଇ ଜମାଇଥିବା
ଏ କୋଳାହଳ ପୂର୍ଣ୍ଣ ହାଟ ବେପାର ନ ଭାଙ୍ଗିବା ଯାଏଁ
ତୋ ପାଖକୁ ଫେରି ତୋର ହେବାଟା ଅସମ୍ଭବ
ମୋର ଏ ହାଟ ବେପାର ଏ କୋଳାହଳ କାହା ପାଇଁ ?
କାହିଁକି ତୋଠୁ ଅଲଗା ହୋଇ ଅଲଗା ହେଲି ମୁଁ ?
ଏ ' ମୁଁ ' ସୃଷ୍ଟି ହେବାର ରହସ୍ୟ କ'ଣ ମୁଁ ଖୋଲି ପାରିବି ?
ଏ ତ ' ମୁଁ ' ର ଚାଲାଖି କିଣାବିକା ମୋଲଚାଲ୍ ବେପାର
' ମୁଁ ' ଚାହେଁ ତୋ ଠୁ ଅଲଗା ହୋଇ
ଗଢ଼ିବ ଆପଣାର ଗୋଟେ ଅଲଗା ସାମ୍ରାଜ୍ୟ
' ମୁଁ ' ପାଇଁ ତୁ ହିଁ ବଡ଼ ପ୍ରତିବନ୍ଧକ ବଡ଼ ପ୍ରତିଯୋଗୀ
ସେ ଚାହେଁ ତା ପାଦେ ତୁ ଆତ୍ମ ସମର୍ପଣ କର
ହେଲେ ତୁ କିଛି ଚାହୁଁନୁ
ତୁ ତ କେବେ କିଛି ଚାହିଁନୁ
ତୁ ଥିଲେ ସିନା ଚାହିଁବୁ
ଏ ' ମୁଁ ' ହିଁ ତୋତେ ବା 'ତୁ' ର ସୃଷ୍ଟିକର୍ତ୍ତା
' ତୁ ' ଯେବେ ସତରେ ନାହୁଁ ସର୍ବତ୍ର ଅଛି କେବଳ ' ମୁଁ '
ତେବେ ଏ ' ମୁଁ ' ଥିବା ଯାଏଁ ' ତୁ ' ରହିବୁ
ଆମେ ଦୁହେଁ କେବେ ବି ଏକ ହୋଇପାରିବାନି
କାରଣ ଆମେ ଦୁହେଁ ହିଁ ମିଛ କଳ୍ପନା ମନଗଢ଼ା
ଆମେ କାହାର ମିଛ କାଳ୍ପନିକ ମନଗଢ଼ା କାହାଣୀ ?
'ମୁଁ ' ' ତୁ ' କୁ ନେଇ ଲେଖି ଚାଲିଥିବା କାହାଣୀର
ଲେଖକ କିଏ ? ପ୍ରକୃତି ? ଇଶ୍ଵର ?
ନାଁ କେହି ଲେଖକ ନାହାନ୍ତି
କି ପ୍ରକୃତି ଇଶ୍ଵର କେହି କୁଆଡ଼େ ନାହାଁନ୍ତି
ଏ ସବୁ ବି ' ମୁଁ ' ଦ୍ୱାରା ସୃଷ୍ଟ
ଯେବେ ' ମୁଁ ' ଥାଏ ସଭିଏଁ ଥାଆନ୍ତି
ଯେବେ ' ମୁଁ ' ନଥାଏ କେହି ନଥାନ୍ତି...
