STORYMIRROR

Prashantam Bapu

Abstract Inspirational

4  

Prashantam Bapu

Abstract Inspirational

ଅର୍ନ୍ତଦ୍ୱନ୍ଦ ଆଉ ଆଶା

ଅର୍ନ୍ତଦ୍ୱନ୍ଦ ଆଉ ଆଶା

1 min
221



ମୋ ଅହଂକାର ଅଜ୍ଞାନତା ପୁଣି
ଅବଶୋଷ ଅସହାୟ ବୋଧର 
ବହଳ କୁହୁଡ଼ି ଭେଦି 
ଆଗକୁ କିଛି ଦେଖି ପାରେନି
ନଥାନ୍ତା କି ଏ ଦେହ ମନରେ 
ଭୋକ ଶୋଷ ତୃଷ୍ଣା 
ନଥାନ୍ତି କି ସାଂସାରିକ ଯାବତ ବନ୍ଧନ  
ନଥାନ୍ତା କି ଘଡ଼ିର କଣ୍ଟା ଉପରେ 
ନଜର ଯୋଡ଼ିଥିବା ଆଖି ଯୋଡ଼ିକ 
ତ ଏ ପୁରା ବସନ୍ତଟା 
ଘୂରି ବୁଲନ୍ତି ଅବିଶ୍ରାନ୍ତ ....

ଘଡ଼ିଏ ଘଡ଼ିଏ ଅଟକି ଯାଇ 
ତୋରି କୋଳରେ ମୁଣ୍ଡ ଥୋଇ 
ତୋତେ ଚାହିଁ ରହନ୍ତି ...
ଥକିଲା ମଲା ଖାଲି ଆଖିରେ 
ନୂଆ ଜୀବନ ଆଶା ସଞ୍ଚରିବା ଯାଏଁ 
ରକ୍ତ ଶୀତଳ ହେବା ଯାଏଁ ଶୋଇ ରୁହନ୍ତି
 
ନଥାନ୍ତା କି କିଛି ଗନ୍ତବ୍ୟ ଠିକଣା 
କି କିଛି ଉଦ୍ଦେଶ୍ୟ ଯାତ୍ରାର 
ନଥାନ୍ତା ଘର କି ବାଟ ଆଉ ଫେରିବାର 
ଜିଉଁଥାଆନ୍ତି ପ୍ରତି କ୍ଷଣ 
ପ୍ରତି ନିଃଶ୍ୱାସ ପ୍ରଶ୍ୱାସ ରେ 
କେବଳ ଆଉ କେବଳ ତୋରି ସହ

ସମ୍ମାନ ସ୍ୱୀକୃତିର ମରିଚିକା 
ଦେହମନର ଲୋଭ ଭୋକ ତୃପ୍ତି ପାଇଁ 
ତୋତେ ମୁହଁ ମୋଡ଼ି 
ଫେରିବାକୁ ହୁଏ ରଣ କ୍ଷେତ୍ରକୁ 
ଧର୍ମ ଯୁଦ୍ଧ କରିଥିବା ଗୋଲାମି ବୃତ୍ତିକୁ 
ଫେରିବାକୁ ହୁଏ ନିର୍ଭର କରିଥିବା 
ଚିରନ୍ତନ ଅଭାବି ସଂସାର ଭିତରକୁ
ଯେଉଁଠି ରୋଗ ବୈରାଗ 
ବସା ବାନ୍ଧି ରହିଥାଏ
ପକେଟ୍ ସବୁବେଳେ ଅସନ୍ତୁଷ୍ଟ 
ଯେତେ ଯାହା କଲେ ବି 
ହାତ କେଉଁ ଆଡ଼କୁ ପାଏନି 
ଛିଦ୍ର ରହିଯାଏ କେଉଁଠି ନାଁ କେଉଁଠି  
ଟଳମଳ ଅଥୟ କରେ 
ଆମ ଦଦରା ନଉକାକୁ

ଗୋଟିଏ ପଟେ 
ଦରଟିଆ ସ୍ୱପ୍ନ ଆବେଗ ଆଉ ତୁମେ 
ଆର ପଟେ ଚରମ ହିଂସ୍ର ବର୍ବର 
ବାସ୍ତବତା ଆଉ ସମାଜ 
ଗୋଟିଏ ପଟେ ବଞ୍ଚିବା ପାଇଁ ସାଲିସ୍ 
ପୁଣି ଆର ପଟେ 
ସ୍ୱପ୍ନର ଅତୁଟ ମୋହ ଆକର୍ଷଣ  
ଦୁଇ ନାଆରେ ଗୋଡ଼ ଥାପି 
ହନ୍ତସନ୍ତ ହେବା କି ମୋ ନିୟତି ?

ଏଇମିତି ମୁଁ କେଉଁ ପଟର କି 
କାହାର ହୋଇ ପାରେନି 
ଚେର ପ୍ରସାରିବାକୁ
କେଉଁଠି ଟିକିଏ ମାଟି ପାଏନି 
ସବୁଠି ମୁଁ ଅପର ଆଉଟସାଇଡ଼ର୍

ତଥାପି ଭିତରୁ ସାକ୍ଷୀଟିଏ ଚାହିଁରହିଥାଏ
ଭରସା ବାନ୍ଧି ବସିଥାଏ 
ଭିତରୁ ଏକ ନୂଆ ପ୍ରଭା,
ଏକ ନୂଆ ଆଶା ଫୁଟିବ,
ସେହି ଗନ୍ଧରେ ବିସ୍ଫୋରଣରେ
ଅହଂକାର ଅଜ୍ଞାନତା
ଅବଶୋଷ ଅସହାୟ ବୋଧର 
ଯେତେ କୁହୁଡ଼ି ସେଇନା ମିଳେଇ ଯିବ
ଫିଟିଯିବ ଅବାଧ ରାସ୍ତା ତୁମ ଆଡ଼କୁ.... 



୦୭/୦୩/୨୦୨୫ , କରଞ୍ଜିଆ , ମୟୁରଭଞ୍ଜ ।


Rate this content
Log in

Similar oriya poem from Abstract