STORYMIRROR

Prashantam Bapu

Abstract Inspirational

4  

Prashantam Bapu

Abstract Inspirational

ଯାହା ନାହିଁ ତାକୁ ନେଇ...

ଯାହା ନାହିଁ ତାକୁ ନେଇ...

2 mins
380


ଯାହା ନାହିଁ ତାକୁ ନେଇ 

ସେ କେବେ ଦୁଃଖୀ ତ କେବେ ସୁଖୀ  

ସବୁ କିଛି ଠିକ୍ ଚାଲିଥିବା ବେଳେ 

କାଳେ କିଛି ଅଘଟଣ ଘଟିବ ଭାବିନେଇ 

ଘଟିନଥିବା ଘଟଣାଟି କଳ୍ପନାରେ ଘଟେଇ 

ସେ ଘାଣ୍ଟି ଚକଟି ହୁଏ ଅଥୟ ହୁଏ

 

ଯାହା ଅଛି ସେଥିରେ ଦୃଷ୍ଟି ଲାଖି ନରହି  

ଯାହା ନାହିଁ ତାକୁ ପାଇବାକୁ ଅବିଶ୍ରାନ୍ତ ଘୂରି ବୁଲେ

ସୁଖକୁ ଶିକାର କରିବା ଦୌଡ଼ରେ 

ଦୁଃଖ ଜଞ୍ଜାଳର ଶିକାର ହୁଏ

 

ସୁଖଦୁଃଖ ଉଭୟ ଛଳନା ଶୁଆ ଭଳି କହି ହେବ

ପେଟର ଭୋକ ଜିଭର ଲାଳସା ଯୌବନର ଜୁଆର 

ଶୈଶବ ବାର୍ଦ୍ଧକ୍ୟର ଅସହାୟତା ସବୁ କ'ଣ ମିଛ ?

ଏସବୁ ହିଁ ତ ଅଙ୍ଗେଲିଭା ଆଖିଦେଖା ଅକାଟ ସତ 

ଦେହମନର ଭୋକକୁ ମିଛ କହି 

ଅଣଦେଖା କରୁଥିବା ସବୁ ଦର୍ଶନ ଧର୍ମବାଣୀ 

ବରଂ ଡାହା ମିଛ ତୁଚ୍ଛା ଗାଲୁଆମି ଡହରାମି


ଦେହ-ମନ ଭୋକ-ତୃପ୍ତି ସତ-ମିଛ 

ଠିକ୍-ଭୁଲ୍ ପାପ-ପୂଣ୍ଯ ଲାଭ-ହାନି

ଏଇସବୁ ତ ତାରି ଭିତରେ ଭାଇ ଭଗାରୀ ପରି

ପୁଣି ମଣିଷର ମଣିଷ ବିରୁଦ୍ଧରେ ଚାଲିଥିବା 

ଯୁଦ୍ଧ ହିଂସା ଧର୍ଷଣ କପଟତା ଛଳନାର ମଞ୍ଜି ସବୁ

ଆଜିଯାଏଁ ସେ ନିଜ ପ୍ରକୃତି ସହ ଲଢ଼ି ଆସିଛି 

ନିଜର ପଶୁତ୍ୱକୁ ଦୁର୍ବଳତାକୁ 

ପୁନଃ ସଚ୍ଚୋଟତାର ସହ ସେ କେବେ ଆଦରିନି 

ନିର୍ଦ୍ଦୟୀ ପ୍ରକୃତି ଦୁର୍ବଳକୁ ଦୟା ଦେଖାଏନି 

ସେଇଥି ପାଇଁ କି ସେ ସମାଜ ଧର୍ମ ନୈତିକତାର 

ଅଲଂଘ୍ଯ ଦୁର୍ଗ ପାଚେରି ମଧ୍ୟରେ ନିଜକୁ ବନ୍ଦୀ କଲା ?

ଏ ମନଗଢ଼ା ସମାଜ ଧର୍ମ ନୈତିକତାକୁ ଆଶ୍ରା କରି 

ଦୁର୍ବଳଙ୍କୁ ଏକାଠି କରି ସେ କେବେଠୁ ଯେ ଲଢ଼ି ଚାଲିଛି 

ଯେତେ ଯେତେ ସବଳ ପଶୁଙ୍କୁ ହରାଇବା ପରେ ବି

ତା'ର ଅବଦମିତ ପଶୁତ୍ୱର ଯୁଦ୍ଧ ପିପାସା ମେଣ୍ଟିଲାନି

ତ ସେ ଯୁଦ୍ଧ ଚାଲିଲା ଚାଲିଛି ନିଜ ନିଜ ବିରୁଦ୍ଧରେ...

 

ବୋଧହୁଏ ନିଜ ପଶୁତ୍ୱକୁ ସ୍ୱୀକାର କରିନେଇ ଥିଲେ 

ସବଳ ପଶୁଙ୍କ ଆଗରେ ଆତ୍ମ ସମର୍ପଣ କରିନେଇ ଥିଲେ 

ଏବେ ସେ ଏ ଧରାରେ ନଥାନ୍ତା  

ହେଲେ ସେ ଥାଇ ବି ଜିତି ବି ହାରିଛି....

ଏ ଯୁଦ୍ଧରେ ସବୁବେଳେ ପଶୁତ୍ୱ ହିଁ ଜିତିଛି 

ଆଉ ଏବେ ସର୍ବତ୍ର ସେହି ପଶୁତ୍ୱର ହିଁ 

ନିରଙ୍କୁଶ ଏକଚାଟିଆ ରାଜ୍ ଚାଲିଛି..


ଏ ଯୁଦ୍ଧ ସରିନାହିଁ କି ଜିତିବାର ଆଶା ତା'ର ମରିନାହିଁ 

ସେ ଥିବା ଯାଏଁ ଲଢ଼ୁଥିବ 

କେବଳ ଫମ୍ପା ସାମ୍ରାଜ୍ୟର ନିରାପତ୍ତା ଅଭିବୃଦ୍ଧି ପାଇଁ ନୁହେଁ 

ପ୍ରକୃତିର ପ୍ରକୋପରୁ ନିଜ ଅସ୍ତିତ୍ଵର ସୁରକ୍ଷା ପାଇଁ 

ପ୍ରକୃତି ତା'ର ସନ୍ତୁଳନ ରକ୍ଷା କରିବାକୁ 

ପ୍ରଳୟର ନାଟକ ରଚିବ ତାଣ୍ଡବ ନାଚିବ ନିଶ୍ଚୟ 

ଏ ବିନାଶ ଯଜ୍ଞରେ ଶେଷ ଆହୁତି ହେବ ତା'ର ଅସ୍ତିତ୍ଵ 

ଧନୀ ଦରିଦ୍ର ମଧ୍ୟବିତ୍ତ ହୁଅନ୍ତୁ କି 

କାଢ଼ୁଆ ନେତା ଅଫିସର୍ କି ବେପାରୀ ହୁଅନ୍ତୁ 

କେହି ବି ଜଣେ ହେଲେ ବର୍ତ୍ତିବେନି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract