STORYMIRROR

Prashantam Bapu

Tragedy Inspirational Others

4  

Prashantam Bapu

Tragedy Inspirational Others

ଶବ ଓ ଜୀଅନ୍ତା ମଣିଷମାନେ

ଶବ ଓ ଜୀଅନ୍ତା ମଣିଷମାନେ

2 mins
15

ବାହା ହୋଇଥିବା ଖୁସିବାସିଆ ହସକୁରା ମଣିଷଟିଏ
ଚିଡ଼ିଚିଡ଼ା ଘୋଡ଼ା ମଦୁଆ କେମିତି ପାଲଟିଯାଏ ?
ସ୍ତ୍ରୀ ପିଲାଛୁଆଙ୍କୁ ଦାଣ୍ଡରେ ବସାଇ
ପଙ୍ଖାରେ ଦଉଡ଼ି ଲଗେଇ କାହିଁକି ଝୁଲିଯାଏ ?
ଜୀବନ ଅପେକ୍ଷା ମୃତ୍ୟୁକୁ ଆଦରି ନେଇଥିବା
ମଲା ମୁହଁରୁ ଏସବୁ ପ୍ରଶ୍ନର ଉତ୍ତର ମିଳିବନି
ଯେଉଁ ଏକପାଖିଆ କାହାଣୀ ସବୁ ଶୁଣିବାକୁ ମିଳିବ
ସେଥିରୁ ବାସ୍ତବ ଛବିଟିଏ ଆଙ୍କି ହେବନି
 
ଶୋକସନ୍ତପ୍ତ ପରିବାରକୁ ଶାନ୍ତ୍ବନା ଦେବାକୁ
ବନ୍ଧୁବାନ୍ଧବ ସାହିପଡ଼ିଶାଙ୍କ ମେଳ
ଲୋକଟିର ଯେତେ ସବୁ ଭଲଗୁଣ ଗୁପ୍ତ ଥିଲା
ସେହିଦିନ ଲୋକଙ୍କ ମୁହଁରେ ଫୁଟିଉଠେ
କିଏ ଅଳପ ଜାଣି ନଅଛଅ ଯୋଡ଼ି ଅଧିକ ଗପେ
କିଏ ଅଧିକ ଜାଣିବି ଚୁପ୍ ରୁହେ କଥା ଲୁଚାଏ
ତ କିଏ ଜିଜ୍ଞାସା ମେଣ୍ଟାଇବାକୁ ଖୋଳତାଡ଼ କରେ

ବହେ କନ୍ଦାକଟା ଚୁଚା ଦୀର୍ଘ ନିଃଶ୍ବାସ ପରେ ନିରବତା
ଏ ଅସହ୍ୟ ନିରବତାକୁ ଭାଙ୍ଗିବାକୁ
କଥା ଗଡ଼େ ଆହାତାହା ବିଷୟରେ
ରାଜନୀତି ଖେଳ ହାଟ ବେପାର ବିଷୟରେ
କିଛି ମଜ୍ଜିରହନ୍ତି ମୋବାଇଲରେ ସର୍ଟ୍ସ୍ ଦେଖିବାରେ

କିଛି ସମୟ ପୁର୍ବରୁ ଯେଉଁ ଦୁଃଖ ଶୋକ ଅସହ୍ୟ ଲାଗୁଥିଲା
ତା'ର ତାତି ଧିରେଧିରେ କମିଯାଏ
ଶେଷ କୃତ୍ୟ ବିଳମ୍ବ ହେବାରୁ ବିରକ୍ତ ହୁଅନ୍ତି କିଛି
ଗଲା ଲୋକ ତ ଗଲା ଆଉ କ'ଣ ଅଛି ?
ମଡ଼ା ବାସି ହେବ କହି ତତ୍ପର ହୋଇ ଉଠନ୍ତି
ନିଜ ନିଜର ଭଙ୍ଗା ଦଦରା ଫମ୍ପା ଫୁଟା ସଂସାରକୁ
ବାହୁଡ଼ିଯିବାକୁ ସେମାନେ ବ୍ୟସ୍ତ
ମୃତ୍ୟୁ ଜୀବନର ଯେଉଁ ଲଙ୍ଗଳା ଚିତ୍ରଟି ଦେଖାଉଛି
ସେଇଟିକୁ ଜଲଦି ଜଲଦି ପୋଡ଼ିଦେଇ
ଯେଝା ଯେଝା ବାଟରେ ଫେରି ଯିବାକୁ ସଭିଏଁ ବ୍ୟଗ୍ର

 କିଛି ଦିନ ଅନ୍ତେ ଧିରେ ଧିରେ ସବୁ ସ୍ୱାଭାବିକ ହୁଏ
 ଯାହାର ଯେତେ ବଡ଼ କ୍ଷତି କରିଥିଲା ମଣିଷଟି
 ସେ ସେତେ ଅଧିକ ଦିନ ଲୁହ ଝରାଏ
 ଝୁରେ , ମନେମନେ ଗାଳିଦିଏ

ନିଇତି କେତେ ମରୁଛନ୍ତି
ଆଗକୁ କେତେ ମରିବେ
ମୁଁ ବି ଦିନେ ମରିବି
ଏ ଦେହଟି ଶବ ପାଲଟିବ
ଆଜିର ଦିନଟି ଶେଷ ଦିନ ହୋଇପାରେ
ଏହା ଜାଣି ବି ଜାଣିବାଟା ଯେମିତି
ଉପର ଠାଉରିଆ ଅଭେଦା ଅଲୋଡ଼ା ଅପ୍ରୀତିକର
ତ ଯଥାସମ୍ଭବ ଘୋଡ଼େଇ ଆଡ଼େଇ
ଯେମିତି ବଞ୍ଚୁଛି ସେମିତି ବଞ୍ଚିଚାଲିବି....


 ପ୍ରଶାନ୍ତମ୍ ବାପୁ ,୧୯/୦୧/୨୦୨୬ ।
 ଠାକୁର ପାଟଣା , ଶଙ୍ଖଚିଲା , ଯାଜପୁର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy