STORYMIRROR

Prashantam Bapu

Fantasy Inspirational Others

4  

Prashantam Bapu

Fantasy Inspirational Others

ଅପ୍ରତ୍ୟାଶିତ ବିବର୍ତ୍ତନ ସ୍ରୋତରେ ....

ଅପ୍ରତ୍ୟାଶିତ ବିବର୍ତ୍ତନ ସ୍ରୋତରେ ....

1 min
10




ଅସୀମ ଲୋଭ ଭୋକ ମୋ ଭିତରେ 
ଯଦି କେବେ ଅସୀମ କ୍ଷମତା ମିଳିଯାଏ 
ସ୍ୱଛାଚାର କରିବାର ପୂର୍ଣ୍ଣ ସ୍ୱାଧୀନତା  
ତେବେ ମୁଁ କେଡ଼େ ବଡ଼ 
କ୍ରୃର ନୃଶଂସ ଅତ୍ଯାଚାରି 
ବଳାତ୍କାରୀ ହେଇନଯିବି !

ହିଟଲର୍ ଷ୍ଟାଲିନ୍ ପଲ୍ ପଟ୍ 
ଚେଙ୍ଗିଜ୍ ଖାଁ ଲିୟୋନ୍ ଟ୍ରୋଟୋସ୍କି
ଗଜନି ତେମୁର ନାଦର ସାହା 
ଖଲଜି ଘୋରି ଆଉରଙ୍ଗଜେବ 
ଏମିତି ଇତିହାସର ସବୁ କ୍ରୃର ଶାସକଙ୍କୁ 
ଏକାଠି କଲେ ବି ବାମନ ଦିଶିବେ 
ମୋ କ୍ରୃରତା ଆଗରେ ଏମାନେ 

ନାଁ ଏ ଅସୀମିତ କ୍ଷମତା ମୋତେ  
ଦୂରଦର୍ଶୀ ମାନବବାଦୀ 
ସୁଶାସକଟିଏ କରିଦେବ
ଦଦରା କଳର ସର୍ବେସର୍ବା ସାଜିଥିବା 
କ୍ଷମତା ମତରେ ଧରାକୁ ସରା ମଣୁଥିବା
ଯେତେ ଭ୍ରଷ୍ଟ ଲମ୍ପଟ ନେତା ଅଫିସର୍ 
ବେପାରୀଙ୍କୁ ସାବାଡ଼୍ କରି
ବିନାଶମୂଖି ବାଟଭୁଲା ମଣିଷଙ୍କୁ
ତା'ର ସଠିକ୍ ରାସ୍ତାକୁ 
ଫେରାଇ ଆଣିବା ଚେଷ୍ଟାରେ
ନିଜ ଜୀବନକୁ ଉତ୍ସର୍ଗ କରିନେବି 

ନାଁ ଏ ଅସୀମିତ ଶକ୍ତି ମୋତେ 
ବୁଦ୍ଧଙ୍କ ଭଳି ମହା କାରୁଣିକ 
ଦରଦୀ ମଣିଷଟି କରି ଗଢ଼ିଦେବ
ପ୍ରାଣୀଙ୍କ ଦୁଃଖରେ ବିଗଳିତ ହୃଦୟ 
ଦୁଃଖରୁ ମୁକ୍ତି ପାଇଁ ର୍ନିବାଣର ହୃତ ପଥକୁ 
ପୁଣିଥରେ ଆବିଷ୍କାର କରିବି  

ନାଁ କିଛି ନକରି କିଛି ନବିଚାରି
କେବଳ ତୃଷ୍ଣାକୁ ଭରପୁର ଭୋଗିବି 
ହୋଇଯିବି ଭୋଗର 
ଏକ ମାତ୍ର ମହା ଦ୍ରୁମ 
ବାସନାର ଚେର ସବୁ ଲମ୍ବିଯିବ ଦଶଦିଶକୁ 
ସେହି ଚେର ଦେଇ 
ଶୋଷୁଥିବି ଭୋଗୁଥିବି ଅନନ୍ତ କାଳ ଯାଏଁ 
ଶୋଷିନେବି ଖାଲି ପୃଥିବୀକୁ ନୁହେଁ 
ବରଂ ପୁରା ବିଶ୍ୱ ବ୍ରହ୍ମାଣ୍ଡର 
ସମସ୍ତ ଜୀବନି ଶକ୍ତିକୁ 
ପାଲଟିଯିବି ଭୋଗର ଏକମାତ୍ର କୃଷ୍ଣ ଗର୍ତ୍ତ ....

ମୋ ଭିତର ସୁପ୍ତ ବୀଜଟି 
କେବେ ଯଦି ବଳ କ୍ଷମତା ପାଏ
ତେବେ ସେ କି ରୂପ ନେବ 
କି ଫଳ ଫଳାଇବ 
କିଏ ବା ସଠିକ୍ କଳି ପାରିବ 
ବିବର୍ତ୍ତନ ସ୍ରୋତରେ 
ମଣିଷ କି ରୂପ ଧାରଣ କରିବ 
ସେ କ'ଣ ଏକା ନିର୍ଧାରଣ କରିପାରେ ?



୧୯/୦୨/୨୦୨୫ , କରଞ୍ଜିଆ ମୟୁରଭଞ୍ଜ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy