ସମର୍ପଣ
ସମର୍ପଣ
ପୁଣି ସଂଯମତା ତା'ର ଚହଲିଗଲା
ଏକାବେଳେକେ ତୁଚ୍ଛ ଲାଗିଲା ସବୁ ,
ଶୁଖିଯାଉଥିବା ଧାରାଟି ବଞ୍ଚୁଥିଲା
ମିଛ ସବୁକୁ ପିଇପିଇ ।
ସତ ତା' ପାଇଁ ମାୟା କାମନା ତୃଷ୍ଣା
ଆଉ ଭୋକର ଜ୍ୱାଳା କେବଳ ଥିଲା
ହେଲେ ଯେବେ ଅଚାନକ୍
ତୁମ ଗନ୍ଧ ବାଜି ସବୁ ଜଳିଉଠିଲା
ସେବେ ଦେଖିଲା କେମିତି ମିଛଗୁଡ଼ିକ
ଜଳୁଥିଲେ ସେ ସତର ଜ୍ୱାଳାରେ ।
ପୁଣି ଥରେ ସବୁ ଭୁଲିଯାଇ
ନୂଆକରି କଅଁଳି ଉଠିବାକୁ ଇଚ୍ଛାହୁଏ
ଭାସିବାକୁ ଇଚ୍ଛାହୁଏ ସବୁ ନିୟନ୍ତ୍ରଣକୁ ଛିଣ୍ଡାଇ
ହେଲେ ସେ ସଢ଼ା ଅତୀତ ଗୁଡ଼ାକ
ତୁମ ସ୍ୱଚ୍ଛତା ଉପରେ ସନ୍ଦେହ କରେ ।
ନିଜକୁ ପୁଣି ଟାଣିନିଏ ସେ ଅମଡ଼ା ଅନ୍ଧାରକୁ
ତୁମର କ'ଣ ଏତେ ଶକ୍ତି ନାହିଁ
ତା'ର ସବୁ ଅତୀତକୁ ଜାଳିପୋଡ଼ି
ଧ୍ୱଂସବିଧ୍ୱସ୍ତ କରିଦେବାକୁ ?
ଛାଡ଼ ! ଦିଅ ତାକୁ ଏଥର ନିଜକୁ ମାରିଦେବାକୁ ,
ସମର୍ପଣ କରିଦେବାକୁ ତା'ର ସବୁ ସମ୍ଭାବନାକୁ ।