ଶେଷ ପରିଣତି
ଶେଷ ପରିଣତି


ଅସ୍ଥିର ମନକୁ ନିରିଖି ଚାହିଁଲି ,
ମାଙ୍କଡ଼ଟା ଏ ଡ଼ାଳରୁ ସେ ଡ଼ାଳକୁ ଡେଇଁ
ଖାଲି ଯା ପତ୍ରଫୁଲ ଝଡ଼ାଉଥାଏ ।
ଅସହ୍ୟ ଶୀତ , ଟାଣଖରା କି ଝଡ଼ିବର୍ଷା
ତା' ପାଇଁ କ୍ଷଣିକ ପ୍ରତିବନ୍ଧକ ଯା
ଦିନକୁ ଦିନ ତ ତା'ର ଉପଦ୍ରବ ବଢ଼ିଚାଲିଛି ।
ଦିନେ ସେ ନିଶ୍ଚୟ ଥକିଯିବ , ହଜିଯିବ
ଆଉ ପଲେ ଛାଡ଼ିଦେଇ ଯିବ
ଏ ଡ଼ାଳକୁ ସେ ଡ଼ାଳ କୁଦାମାରି
ଚିରସବୁଜ ଗଛଟିକୁ ଧ୍ୱଂସକରିବାକୁ ।
ଏହା ସତ୍ତ୍ୱେ ବି ଗଛଟି ବଢ଼ିଚାଲିଛି
ଆକାଶକୁ ଛୁଇଁବାର ସ୍ୱପ୍ନନେଇ
ଯିବା ପୂର୍ବରୁ ଯେମିତି ବି ହେଉ
ମଞ୍ଜିପୁଳାଏ ସେ ଛାଡ଼ିଦେଇ ଯିବ
ପୃଥିବୀ ଗର୍ଭରେ ବଢ଼ିବାକୁ ।
ଏଇମିତି କେତେ ଯେ ମାଙ୍କଡ଼ ,
ଗଛ , ଋତୁ , ଏ ପୃଥିବୀ ଆଉ ସୂର୍ଯ୍ୟ ବି
ବୁଲିଚାଲିଛନ୍ତି ଅହରହ ଜନ୍ମମରଣର ଚକ୍ରରେ
ଏସବୁ ଭିତରେ ଗଭୀରରେ
ଅଗୋଚରରେ କିଛି ଗୋଟାଏ
କେଉଁ ଅନାଦି କାଳରୁ
ସ୍ଥିର ଅଚଳ ହୋଇରହିଛି ଯେମିତି ।
ତାକୁ କେହି କେବେ କ'ଣ ଛୁଇଁପାରିଛି ?
ସେ ଅଛୁଆଁ ଅପହଞ୍ଚ
ଆଉ ଅଦୃଶ୍ୟ ହେଲେ ବି
ସେ ହିଁ ସବୁର ଶେଷ ପରିଣତି ।