କୃଷ୍ଣଚୂଡ଼ାର ହସ
କୃଷ୍ଣଚୂଡ଼ାର ହସ
ମଧୁଶାଳାର ମାଧବୀ ଗୋ ତୁମେ,
ଓଠେ କୃଷ୍ଣଚୂଡ଼ା ହସ
ଅଳସ ଆଖିରେ କଳସେ ସପନ,
ମନକୁ କରଇ ବଶ ।
ଅୟୁତ ଯୁଗର ତୃଷ୍ଣl ଆଖିକୋଣେ,
ଅଜନ୍ତା ଅଳସୀ କନ୍ୟା
ଚାଲିରେ ତୋହର ଫୁଟଇ କମଳ,
ମାଡି ଆସେ ପ୍ରୀତି ବନ୍ୟା ।
ଚାନ୍ଦିନୀ ରାତିର ଚିକ ମିକ୍ ଜହ୍ନ,
ଫିକା ଲାଗେ ତୋହ ଆଗେ
ଚାରୁ ଚନ୍ଦ୍ରlନନୀ ଲାବଣ୍ୟବତୀ ଗୋ,
ପ୍ରେମ ଭିକ୍ଷା ତୋତେ ମାଗେ ।
ମନ ଉପବନେ ସାଜି ବନ ପକ୍ଷୀ,
ଡେଣା ଝାଡ଼ିଦେଇ ଯାଆ
ଝରା କୃଷ୍ଣଚୁଡା ଲାଲିମା ରଙ୍ଗରେ,
ଅଦିନେ ଚଇତି ବାଆ ।
ନିଶିବିଜନରେ ମଲ୍ଲୀର ବାସରେ,
ତନ୍ଦ୍ରାଭରା ଜହ୍ନ ରାତି
ରାକା ରଜନୀରେ ବିରହୀ ଯକ୍ଷ ମୁଁ ,
ଝୁରି ମରୁଥାଏ ନିତି ।
ହୃଦୟ ବେଳାରେ ମଥାପିଟୁଅଛି,
ପ୍ରୀତି ଉର୍ମି ଅହରହ
ଶାମୁକା ଗୋଟାଇ ରଖିଛି ସାଇତି,
ମୁକ୍ତା ହେବୁ କେବେ କହ ।
ବୟସ ନଦୀରେ ଉଜାଣି ବହୁଛି,
ତୀରେ ହସେ କୃଷ୍ଣଚୂଡ଼ା
ଆସିବ ନିଦାଘ ଆସିଯା ପ୍ରିୟା,
ନୋହିଲେ ମୁଁ ପତ୍ରଝଡା ।