ନାରୀ
ନାରୀ
ନାରୀଟିଏ ଅଟେ ସୃଷ୍ଟିର ସମ୍ପଦ
ତାହାକୁ ଦେବା ସମ୍ମାନ
କୁରୁବଂଶ ସମୂଳରେ ନାଶ ଗଲା
କରି ନାରୀ ଅପମାନ ।
ସ୍ନେହ ଶ୍ରଦ୍ଧା ପୂର୍ଣ୍ଣ ଭଣ୍ଡାରରେ ଥାଏ
ଅମୃତ ର ବାରିଧାରା
ମୂର୍ତ୍ତିମନ୍ତ ପ୍ରତୀକ ସିଏ ତ୍ୟାଗର
ସର୍ବସଂହା ବସୁନ୍ଧରା ।
ନିଜେ ଦୁଃଖ କଷ୍ଟ ସହିକରି ସିଏ
ଅନ୍ୟକୁ ଆନନ୍ଦ ଦିଏ
ଦୀପ ଶିଖା ପରି ଜୀବନ ତାହାର
ସବୁବେଳେ ଜଳୁଥାଏ ।
ମାତୃଶକ୍ତି ସିଏ ତା କୃପା ନ ହେଲେ
କିଛି କାମ ହୁଏ ନାହିଁ
ଜନନୀ, ଭଗିନୀ, ଜାୟା ରୂପେ ଥାଇ
ଦିଗ ଦର୍ଶନ ଦିଅଇ ।
ପ୍ରଭୁ ରାମଚନ୍ଦ୍ର ରାବଣ ବଧି ଲେ
ମାତା ଜାନକୀଙ୍କ ପାଇଁ
ପାଣ୍ଡଵଙ୍କୁ ବନବାସ ବାଧିଲାନି
ସତୀ ଦ୍ରୌପଦୀ ଙ୍କ ପାଇଁ ।
ପ୍ରଭୁ ଜଗନ୍ନାଥ ମା ଲକ୍ଷ୍ମୀ ଙ୍କ ପାଇଁ
ଭିକ୍ଷା ବୃତ୍ତି ଆଚରିଲେ
ନାରୀଟିଏ ନାରାୟଣୀ ଯେ ପାଲଟେ
ସମ୍ମାନ ତା କ୍ଷୁର୍ଣ୍ଣ ହେଲେ ।
ନାରୀ ଓ ପୁରୁଷ ଗୋଟିଏ. ଟଙ୍କାର
ଅଟନ୍ତି ଦୁଇଟି ପାର୍ଶ୍ଵ
ପରସ୍ପର ଦୁଃଖ ସୁଖ ବାଣ୍ଟିଲେ ଯେ
ମିଳଇ ଶାନ୍ତି, ସନ୍ତୋଷ ।
ଜଗତ ବନ୍ଦିନୀ, ଦୁଷ୍ଟ ସଂହାରିଣୀ
ମହାମାୟା ଆଦିଶକ୍ତି
ନାରୀ ବିନା ନର ଅଧୁରା ଅଟନ୍ତି
ସୃଷ୍ଟି କର୍ତ୍ତା ରଚିଛନ୍ତି ।
