ବେଦନା ଏକ ନିରବ ମଣିଷର
ବେଦନା ଏକ ନିରବ ମଣିଷର
ମୁଁ ପାଲଟି ଯାଇଛି ଏକ ନିରବ ମଣିଷ
ଦୁନିଆର ଗହଳି ଭିତରେ କେତେବେଳେ ଯେ
ମୁଁ ବାଛନ୍ଦ ହୋଇଗଲି ଜାଣିପାରିଲିନି
କେତେବେଳେ ଯେ ବଞ୍ଚିବାର ମଧୁମୟ ସ୍ୱପ୍ନ
ଦିଗହରା ହୋଇଗଲା
କେତେବେଳେ ଲିଭିଗଲା ଭଙ୍ଗୁର ଛାତିରୁ
ଆକାଂକ୍ଷାର ପଦଚିହ୍ନ
କେତେବେଳେ ଯେ ବେସୁରା ହୋଇଗଲା ଜୀବନର ଚିରନ୍ତନୀ ଶାଶ୍ୱତ ସଂଗୀତ
କିଛିବି ଜାଣିପାରିଲିନି ମୋ ସଚେତନ ମନରେ
ସବୁ ଲାଗେ ଆଜି ଅନୁତ୍ତରିତ ପ୍ରଶ୍ନ
ଚାରିକାନ୍ଥ ଭିତରେ ବାରମ୍ବାର କରୁଛି ମୁଁ ନିରବ ସଂଗ୍ରାମ
ସବୁ ଆଡେ ବିଶ୍ୱାସଘାତକତା, ନିରବତା
ଆଉ ପ୍ରତାରଣାର ନଗ୍ନ ଉଦାହରଣ
ବାରମ୍ବାର ଆଖିରେ ମୋର ଲୋତକର ଉତ୍ତାଳ ନୃତ୍ୟ
ସବୁବେଳେ ଦୁଃଖକୁ ଆଦରିନେଇଥିବା ନିରୀହ ଆତ୍ମାଟିକୁ ସାମାନ୍ୟ ଖୁସି ଯେମିତି ଆଣିଦେଉଛି
ଅନେକ ଦିନର ପ୍ରତିକ୍ଷୀତ ଉଲ୍ଲାସ
ପ୍ରତିଟି ମୁହୁର୍ତ୍ତ ମୋର ସଂଗ୍ରାମ ପାଇଁ
ରଚିତ ଏକ ଅଭିନଵ ଇତିହାସ
ଆଉ ବଞ୍ଚି ରହିବା ପାଇଁ ଅପ୍ରମିତ ପ୍ରଚେଷ୍ଟା
ତଥାପି ପ୍ରତୀକ୍ଷା ନବ ସ୍ୱପ୍ନରେ ବିଭୋରିତ ଏକ ସକାଳ ପାଇଁ
ଜାଣେନି ସେଦିନ ବଞ୍ଚିରହି ଆକାଶକୁ ଚାହିଁଥିବି ନା ନିରବତା ଭିତରେ ନିରବୀ ଯାଇଥିବି ସବୁଦିନପାଇଁ.....।
