STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ନିଶାମଗ୍ନ ନିଶିଗନ୍ଧା

ନିଶାମଗ୍ନ ନିଶିଗନ୍ଧା

1 min
208

ଚିତ୍ତ ଚୋରା ତୋର ସୁଗନ୍ଧ ସୌରଭେ 

ତୋ ପାଖରେ ପଡ଼େ ବନ୍ଧା

ମାୟାବିନୀ ମୋହ ଫାଶେ ବାନ୍ଧି ଦେଉ

ତୁ ନିଶାମଗ୍ନ ନିଶିଗନ୍ଧା। 


ରାତି ଯେତେ ଯେତେ ହେଉଥାଏ ଗାଢ଼

ତୋ ଯୌବନରେ ଭରେ ତନୁ,

ସ୍ଵପ୍ନ ପରି ହେଉ ବାସ୍ତବେ ପ୍ରତୀତ 

ତୁ ପାଶୋର ନ ଯାଉ ମନୁ। 


ସମାହିତ ହୁଏ ବିକ୍ଷିପ୍ତ ଚେତନା

ମାଦକ ତୋ ଦେହ ଗନ୍ଧେ,

ପୂର୍ଣ୍ଣ ହୁଏ ଯେହ୍ନେ ସକଳ କାମନା

ମଧୁର ତୋ ମୃଦୁ ଛନ୍ଦେ। 


ଅର୍ଦ୍ଧ ରଜନୀରେ ଜୀବନ ସଂଚାରୁ

ମୃତ୍ୟୁ ସଞ୍ଜିବନୀ ସମ,

ପବନରେ ଖେଳେ ତୋ ସୁଧା ସୁବାସ

ପାରିଜାତର ତୁ ଭ୍ରମ। 


ଜହ୍ନ ଯେବେ ଢାଳେ ତା ଶୁଭ୍ର କିରଣ

ଲାଜେ ନଇଁ ଯାଉ ସିନା,

ବିତରୁ କିନ୍ତୁ ତୁ ପାତ୍ର ଅପାତ୍ରରେ

ଭାବମୟ ମୁରୁଛନା।


ଦିନ ସାଥେ ବାଦ କରି ବସୁ ବୋଲି

ସିନ୍ଦୂରା ଫିଟିଲେ ଝରୁ,

ତଥାପି ତୋ ମୁଖେ ଉଦାସ ନ ଥାଏ

ହସି ହସି ଶେଷେ ମରୁ। 


ନିଦୁଆ ପ୍ରଭାତେ ଯାଉ ଯାଉ ଶେଷେ

ଭରିଦେଉ ସତେଜତା,

ବସୁମତୀ ମାଥେ ଲେଖିଦେଇ ଯାଉ

ଚୁନା ଚୁନା ଫୁଲ ଚିତା। 


ସ୍ୱଳ୍ପ ଜୀବନରେ ଛାଡ଼ିଦେଇ ଯାଉ

ସହସ୍ର ହୃଦେ ତୋ ସ୍ଥାନ,

ତୋ ଶୁଭ୍ର ସୁବାସ ଶିକ୍ଷା ଦେଉ ସଦା

ମାନବକୁ ପ୍ରତି କ୍ଷଣ। 


ସମର୍ପିତା ସୌଭାଗିନୀଟେ ତୁ ସତ

ସମ୍ପି ଦେଉ ତୋ ସୁବାସ,

ସେବିକା ସାଜି ତୁ ମହା ଗୌରବରେ

ବଢିଯାଏ ତୋ ଉଚ୍ଛ୍ୱାସ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract