ଆ ଜହ୍ନ ମାମୁଁ
ଆ ଜହ୍ନ ମାମୁଁ
ହାତରେ ମୋ କେବେ ଖସିଛୁ କି ନାହିଁ
ସେ କଥା ମୋ ଏବେ ମନେ ନାହିଁ
କିନ୍ତୁ ମୋ ମାଆ ଡାକିଛି ବହୁବାର ତୋତେ
ସେ ଦୃଶ୍ୟ ଏବେ ବି ମୋ ଆଖିରେ ଝଲସେ ।
ତୁ କେବେ ଆସିନାହୁଁ ସତ
କିନ୍ତୁ ନିଦ ମାଉସୀ ଆସେ
ମୋ କ୍ଳାନ୍ତ କଳ୍ପନାର କଅଁଳ ଚେତନାକୁ
ଆସ୍ତେ କରି ଆଉଁସି ଦେଇ ଯାଏ ।
କେଜାଣି କାହିଁକି ତୁ ଏତେ ଖୋଜା ପଡୁଥିଲୁ
ମୋ ପ୍ରତିଟି ନିଦ ଆସିବାର ଠିକ୍ ପୂର୍ବରୁ
ଯଦିଓ ମୋ ମାଆ ଜାଣିଥିଲା
ତୁ କେବେ ରଖିନୁ ତା କଥା ।
ତୁ କିନ୍ତୁ ଖୁବ୍ ହସୁଥିଲୁ
ମୋ ମାଆର ନିର୍ବୋଧତା ଦେଖି
ବା ମୋର ଅବୋଧତା ଦେଖି
ଆଉ ଆଜି ମୋତେ ହସ ଲାଗେ
ତୋ ଭଣ୍ଡେଇବାର କୌଶଳକୁ ଦେଖି ।
ମୋ ହାତରେ ଖସି ନ ପଡ଼ିଲେ ବି
ମୁଁ କିନ୍ତୁ ଦେଖିଛି ତୋତେ ମୋ ହାତ ପାହାନ୍ତାରେ
ମୋ ମାଆର ଆଖିରେ ଢଳ ଢଳ ହେଉ
ମୋ ଭାବନାର ଠିକ୍ ଅନୁରୂପ ଛବିଟିଏ ପରି ।
ଆଜି ମୋ ମାଆ ଆଉ ତୋତେ ଖୋଜେନା
ଖୋଜିବସେ ମୋତେ ମୋ ଠାରୁ ଅନେକ ଦୂରରେ
ତା'ର ପ୍ରତିଟି ନିଦର ଠିକ୍ ପୂର୍ବରୁ
ଆଉ ମୁଁ ଠିକ୍ ତୋ ଭଳି କେଉଁ ଏକ ସହରରେ ଥାଇ
ଭଣ୍ଡେଇ ଚାଲିଥାଏ ମୋ ମାଆକୁ ଠିକ୍ ତୋ ପରି ।