STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଆ ଜହ୍ନ ମାମୁଁ

ଆ ଜହ୍ନ ମାମୁଁ

1 min
211

ହାତରେ ମୋ କେବେ ଖସିଛୁ କି ନାହିଁ

ସେ କଥା ମୋ ଏବେ ମନେ ନାହିଁ

କିନ୍ତୁ ମୋ ମାଆ ଡାକିଛି ବହୁବାର ତୋତେ

ସେ ଦୃଶ୍ୟ ଏବେ ବି ମୋ ଆଖିରେ ଝଲସେ । 


ତୁ କେବେ ଆସିନାହୁଁ ସତ

କିନ୍ତୁ ନିଦ ମାଉସୀ ଆସେ

ମୋ କ୍ଳାନ୍ତ କଳ୍ପନାର କଅଁଳ ଚେତନାକୁ

ଆସ୍ତେ କରି ଆଉଁସି ଦେଇ ଯାଏ । 


କେଜାଣି କାହିଁକି ତୁ ଏତେ ଖୋଜା ପଡୁଥିଲୁ

ମୋ ପ୍ରତିଟି ନିଦ ଆସିବାର ଠିକ୍ ପୂର୍ବରୁ

ଯଦିଓ ମୋ ମାଆ ଜାଣିଥିଲା

ତୁ କେବେ ରଖିନୁ ତା କଥା । 


ତୁ କିନ୍ତୁ ଖୁବ୍ ହସୁଥିଲୁ

ମୋ ମାଆର ନିର୍ବୋଧତା ଦେଖି

ବା ମୋର ଅବୋଧତା ଦେଖି

ଆଉ ଆଜି ମୋତେ ହସ ଲାଗେ

ତୋ ଭଣ୍ଡେଇବାର କୌଶଳକୁ ଦେଖି । 


ମୋ ହାତରେ ଖସି ନ ପଡ଼ିଲେ ବି

ମୁଁ କିନ୍ତୁ ଦେଖିଛି ତୋତେ ମୋ ହାତ ପାହାନ୍ତାରେ

ମୋ ମାଆର ଆଖିରେ ଢଳ ଢଳ ହେଉ

ମୋ ଭାବନାର ଠିକ୍ ଅନୁରୂପ ଛବିଟିଏ ପରି । 


ଆଜି ମୋ ମାଆ ଆଉ ତୋତେ ଖୋଜେନା

ଖୋଜିବସେ ମୋତେ ମୋ ଠାରୁ ଅନେକ ଦୂରରେ

ତା'ର ପ୍ରତିଟି ନିଦର ଠିକ୍ ପୂର୍ବରୁ

ଆଉ ମୁଁ ଠିକ୍ ତୋ ଭଳି କେଉଁ ଏକ ସହରରେ ଥାଇ

ଭଣ୍ଡେଇ ଚାଲିଥାଏ ମୋ ମାଆକୁ ଠିକ୍ ତୋ ପରି । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract