ମଧୁର
ମଧୁର
ସବୁଠାରୁ ଭଲ ଲାଗେ
ମୋତେ ମୋର ଗାଆଁ
ସବୁଠୁ ମଧୁର ଲାଗେ
ମୋତେ ତାର ନାଆଁ ।
ଚାଲି ମୁଁ ଶିଖିଛି ତାର
ଦେହେ ପାଦ ଦେଇ
ବଞ୍ଚିଛି ମୁଁ ଦୁନିଆରେ
ତାର ଖାଦ୍ୟ ଖାଇ ।
ତା ପାଣି ପବନେ ଏଇ
ଶରୀର ମୋ ଗଢା ହେଇ
ନିଃଶ୍ବାସ ପ୍ରଶ୍ବାସ ଚାଲେ
ଦେଖୁଛି ଦୁନିଆ ।
ସବୁଠୁ ମଧୁର ଲାଗେ
ମୋତେ ତାର ନାଆଁ ।
ଚାରି ପାରୁଶରେ କ୍ଷେତ
ତାର ହସୁଥାଏ
ସୁନାର ଫସଲ ତାର
ଦେହେ ଭରି ଯାଏ ।
ସମୀରର ତାଳେ ତାଳେ
ନାଚି ହସୁ ଥାଏ
ପୋଖରୀରେ କଇଁ ଫୁଟି
ମନ ମୋହୁ ଥାଏ ।
ଭରି ଥାଏ କେତେ ସ୍ମୃତି
ସେ ସ୍ମୃତି ହୁଏନା ଇତି
ଗାଆଁର ମଶାଣୀ ହାତ
ଠାରି ଡାକେ ଆ ।
ସବୁଠୁ ମଧୁର ଲାଗେ
ମୋତେ ତାର ନାଆଁ ।
ବିପଦେ ଡାକନ୍ତି ମାଆ
କର ଗୋ ଉଦ୍ଧାର
ମାଆ ଡାକ ସବୁଠାରୁ
ଲାଗେ କି ମଧୁର ।
ସେ ଡାକରେ ଭରି ଥାଏ
କେତେ ସ୍ନେହ ମମତା
ତା କଥାରୁ ଝରୁଥାଏ
ମିଠା ସ୍ମୃତି କବିତା ।
ଯାହାର ତ ମାଆ ନାହିଁ
ତା ଦୁଃଖ ନା ହୁଏ କହି
ତା ଜୀବନ ସାଥି ହେଇ
ଥାଏ ଜଗା କାଳିଆ ।
ସବୁଠୁ ମଧୁର ଲାଗେ
ମୋତେ ତାର ନାଆଁ ।
ମଧୁର ଲାଗଇ ମୋତେ
ତା ବଇଁଶୀ ସୁର
ଖେଳି ଯାଏ ଶିହରଣ
ହୃଦୟେ ମୋହର ।
ତା ମଧୁର କଥାରେ ଯେ
ଗୋପୀ ଆନମନା
କାଖରେ କଳସୀ ଧରି
ଚାଲନ୍ତି ଯମୁନା ।
ଭୁଲନ୍ତି ଯଶୋଦା ଦୁଃଖ
ଦେଖି କଳା କାହ୍ନୁ ମୁଖ
ମଧୁରତା ଭରି ଦିଏ
ତାର ମିଠା ଛୁଆଁ ।
ସବୁଠୁ ମଧୁର ଲାଗେ
ମୋତେ ତାର ନାଆଁ
ଗୁରୁ ଶିଷ୍ୟଙ୍କ ସମ୍ପର୍କ
ଅଟଇ ମଧୁର
ମଧୁରତା ଭରା ଥାଏ
ବନ୍ଧୁତ୍ବ ବେଭାର ।
ମଧୁର ବଚନ ସଦା
ଯିଏ କହୁଥାଏ
ଶତ୍ରୁ ହୋଇଲେ ବି ତାର
ମିତ୍ର ହେଇଯାଏ ।
ଏଇ ଜିହ୍ବେ ବିଷ ଥାଏ
ଅମୃତ ବି ଝରୁ ଥାଏ
ତା ପାଇଁ ବନ୍ଧୁତ୍ବ ଡୋରେ
ବନ୍ଧା ଏ ଦୁନିଆ ।
ସବୁଠୁ ମଧୁର ଲାଗେ
ମୋତେ ତାର ନାଆଁ ।
ଭକତ ଓ ଭଗବାନ
ସମ୍ପର୍କ ମଧୁର
ଭକତ ଉଦ୍ଧାରେ ଶଙ୍ଖ
ଚକ୍ର ଧରେ କର ।
ମଧୁର ତ ଲାଗେ ଆଖୁ
ଗୁଡ ଚିନି ମହୁ
ଆରିସା କାକରା ପିଠା
ମିଶ୍ରି ମିଠା ବହୁ ।
କଥାରେ ମଧୁର ଯାର
ହୃଦୟେ କରେ ବିହାର
ତା ପାଖରେ ବନ୍ଧା ଥାଏ
ଏ ସାରା ଦୁନିଆ ।
ସବୁଠୁ ମଧୁର ଲାଗେ
ମୋତେ ତାର ନାଆଁ ।