ଅଭାଗା ମଣିଷ
ଅଭାଗା ମଣିଷ
ଅଭାଗା ମଣିଷଟିଏ ମୁଁ ତୁଚ୍ଛ ଜୀବନ ମୋର
କାହିଁକି ଦେଉଛ ଯାତନା ପ୍ରଭୁ ଦୟା ସାଗର ।
ପିଲାଟି ଦିନରୁ ଦେଖିନି ମାଆ ବାପାର ମୁଖ
ତଥାପି ବଞ୍ଚିଛି ଜୀବନେ ପିଇ ଅକୁହା ଦୁଃଖ ।
ସହିଛି ସମାଜେ ତାଡନା ,କଟୁ ବଚନ ,ଘୃଣା
ଖାଇଛି ଅଇଁଠା ପତର ଅନ୍ନ ମୁଠିଏ ବିନା ।
ମାଗିଅଛି ହାତ ପତାଇ ଭୁଲି ଆତ୍ମ ସମ୍ମାନ
ଦାନା କନା ପାଇଁ ଜୀବନେ ସହିଅଛି କଷଣ ।
ଖଟିଛି ବାଳୁତ ବୟସେ ଟଙ୍କା ଅର୍ଜନ ପାଇଁ
ଖାଇଛି ଗୋଇଠା ପାହାର ଦୟା କାହାର ନାହିଁ ।
ସୁଖ ମୋର ଚିର ବଇରୀ ଦୁଃଖ ସାଜି ଆତ୍ମୀୟ
ସମାଜେ ଗଢ଼ିଛି ଅଭାଗା ରୂପେ ମୋ ପରିଚୟ ।
ଓଳିଏ ଖାଇଛି ଦି ଓଳି ଉପବାସେ ରହିଛି
ଈଶ୍ୱରଙ୍କ ଦାନ ଜୀବନ ସଦା ମୂଲ୍ୟ ବୁଝିଛି ।
ଶୀତରେ ଥରିଛି ରାତିରେ ନାହିଁ କମ୍ବଳଟିଏ
ବର୍ଷାରେ ଭିଜିଛି ଅନେକ ନାହିଁ ଆଶରାଟିଏ ।
ରୋଗ ବଇରାଗ ପୀଡାକୁ ମୁହିଁ ସହିଛି ଏକା
ନାହିଁ ମମତାର ପରଶ କିଏ ଦେଇନି ଭିକ୍ଷା ।
ସ୍ୱପ୍ନ ଦେଖିପାରେ ନାହିଁ ମୁଁ ଖୋଲା ମୁଦ୍ରିତ ନେତ୍ରେ
ଅଭାଗାର ଆଶା ଆକାଂକ୍ଷା ଧୋଇ ଯାଇଛି ସତେ ।
କାହାକୁ କହିବି କାହାଣୀ କିଏ କରିବ ଆହା
ଧୈର୍ଯ୍ୟ ସାହସ ମୋ ସମ୍ପତ୍ତି ଚଲାପଥରେ ସାହା ।
ଅଭାଗାର ମନ ,ଯୌବନ ,ଦୂର ଆକାଶ ଜହ୍ନ
ନିର୍ଦ୍ଦୟ ନିଷ୍ଠୁର ନିୟତି କରିପାରେନା ପୂର୍ଣ୍ଣ ।
ଛାଡିନାହିଁ କେବେ ଭରସା ପ୍ରଭୁଠାରେ ବିଶ୍ୱାସ
ଆସିବ ସୁଦିନ ଜୀବନେ ଓଠେ ଖେଳିବ ହସ ।
ପରିଶ୍ରମ ମୂଲ୍ୟ ମିଳିବ ଦାନା କନା ଆଶ୍ରୟ
ଭାଗ୍ୟ ନିଶ୍ଚେ ହାର ମାନିବ ବଦଳିବ ସମୟ ।