ଦୁର୍ଲଭ ଜୀବନ
ଦୁର୍ଲଭ ଜୀବନ
ଦୁର୍ଲ୍ଲଭ ଜୀବନ ଏ ମଣିଷ ଜନ୍ମ ହେଜୁଥାଅ ମନେ ନିତ୍ୟ
ଉନ୍ମୁକ୍ତ କରିଣ ସୂକ୍ଷ୍ମ ଚେତନାକୁ ଲଭିଜିବା ଅମରତ୍ୱ
ସୁଖଶାନ୍ତି ପ୍ରୀତି ଅରଜିବା ପାଇଁ ସମାଜର କର ହିତ
ଆତ୍ମସ୍ୱାର୍ଥ ଭୁଲି ପରସେବା କଲେ ସେହି ହେବ ବଡ଼ ବିତ୍ତ ।
ସଂସାରକୁ ଆସି ସୁଖ ପଛେ ଧାଇଁ ଚାଲିଯିବ ଯେବେ ଜୀଵ
ନେଇଯିବ କିବା ସାଙ୍ଗରେ ସମ୍ପଦ କରୁଅଛ ଏତେ ଲୋଭ
ଆସିଛ ଏକାକୀ ଫେରିବା ଏକାକୀ ସଂଗେ ଯିବ ପୁଣ୍ୟଧର୍ମ
ସଭିଙ୍କ ହୃଦୟେ ରହିଯିବ ସ୍ମୃତି କରିଥିଲେ ସୁକରମ ।
ମିଛ ମୋହମାୟା କପଟ ଛଳନା ଅଦୃଶ୍ୟର କରେ କ୍ଷତି
ମିଳେନା ଆଶିଷ ମିଳେ ଅଭିଶାପ ନିରୀହ ଆଖିର ତାତି
ଆଶା କବଳିତ ମଣିଷ ଜୀବନ ଶାନ୍ତି କି ପାଇଛି କୁହ
ସରଗର ସୁଖ ସରଳ ଜୀବନେ କ୍ଷଣସ୍ଥାୟୀ ଆମ ଦେହ ।
ଅନ୍ତର ଜ୍ଞାନକୁ ଉଜ୍ଜୀବିତ କରି ବାଣ୍ଟିଦେବା ସଂସାରରେ
ଜନମ ସାର୍ଥକ ହୋଇବ ଆମର ଦୁଇଦିନ ଜୀବନରେ ।