ସପନର ନଈ
ସପନର ନଈ
ଶାନ୍ତ ଶୀତଳ ପବନ ଭେଦି କେତେ ଗାଁ ମାଟିର ,
ଲମ୍ବିଛି ଏ ଅଣଓସାରିଆ ରାସ୍ତା।
ଯାଉଥାଏ ଗାଡି ମୋ ଆଗେଇ
ନେଇ ଏକ ଶରତର ଯାତ୍ରା।
ଆତ୍ମାକୁ ଯଦିଓ ଦେଉଥାଏ ତୃପ୍ତି
ବଢୁଥାଏ କିନ୍ତୁ ଅବସତାର ମାତ୍ରା।
ଗାଁ ଚାଳିଆ ଦୋକାନ କଡେ
ଗାଡି ଯାଏ ଟିକେ ଅଟକି ,
ଜାଣୁଥାଏ ନୀଳନଭ ଚନ୍ଦ୍ର ଆଗମକୁ
ଦୁଇଘଡି ଆଉ ବାକି ।
ଖେଳୁଥାଏ ଶିତଳ ସମୀର
ଧବଳ ମେଘମାଳକୁ ଡାକି ।
ଘଣ୍ଟିର ଗୁଞ୍ଜରଣ ସଙ୍ଗେ ଶୁଭେ
କୋଳାହଳ ପିଲାଙ୍କର ,
ସନ୍ଦେଶ ଦିଏ ସ୍କୁଲ ଛୁଟିର
ଆନନ୍ଦର ଦୌଡ ତାଙ୍କର।
ଛୁଇଁ ଓଠ ଚା' ଢୋକକୁ
ତୃପ୍ତ କରେ ସମଗ୍ର ମସ୍ତିଷ୍କକୁ।
ହାଲକା ସ୍ପର୍ଶ ଦିଏ ତନ୍ଦ୍ରା
କ୍ଳାନ୍ତି ଭିଜା ଆଖି ଯୋଡାକୁ ।
ଆଖିପତାରେ ନାଚୁଛି ସେଇ
ଶ୍ରେଣୀର ଘର ପୁରୁଣା ସ୍କୁଲର,...
ବାହାରି ପଡେ ଚାଲିଚାଲି
ବର୍ଷାକୁ ନ ମାନି ,
ଦୌଡୁଥାଏ ଓଦାରାସ୍ତାରେ
ଧରି ବହିବସ୍ତାନି।
ଗୋଟାଉଥାଏ ସାଧବ ବୋହୁ
କଅଁଳ ଘାସରୁ,
ଭସାଏ କେତେ ଯେ ଡଙ୍ଗା
କାଗଜ ଚିରି ଖାତାରୁ।
ଶ୍ରେଣୀରେ ଭରିଥାଏ ବେଞ୍ଚ୍
ଅନେକ ଛୋଟ ଛୋଟ ,
ଭିତରେ ଗୁଞ୍ଜା କାଗଜ ଫୁଲ ,
କଣ୍ଢେଇ ଆଉ ରକେଟ ।
ଝୁଲୁଥାଏ କାନ୍ଥରେ
ଲାଲ୍ ବାହାଦୁର ଫଟ ।
ଖେଳ ଛୁଟିର କୌତୁକିଆା
ଲୁଚକାଳି ଖେଳ ,
ଖେଳ ଖାଲି ଖେଳ ଆଉ ଖେଳ ।
ବାଲ୍ୟ ମନଟା ଥାଏ ପୁରା ଫାଙ୍କା
ତା ପାଇଁ ଅଜଣା ଭବିଷ୍ୟ
ଜୀବନର ରାସ୍ତା ଅଙ୍କାବଙ୍କା ।
ଉନ୍ମାଦ ଭରା ହୁଏ ଆହୁରି
ସ୍କୁଲ ଛୁଟି ପରେ ଦିନ ,
ଦୁନିଆଁ ଭୁଲି ହସୁଥାଏ
କଅଁଳ ଟିକି ସେ ମନ ।
ପାଠ ପଢୁପଢୁ ବୁଜିହୁଏ ସଂଧ୍ୟାରେ
ଅମାନିଆ ଦୁଇ ନୟନ ।
ନିଶ୍ଚଳ କରେ ଦିନତମାମ ନାଚୁଥିବା
ଟିକି କୋମଳ ତନ ।
......
ଖୋଲିଦେଲା ପଲକ
ଝଲକାଏ ଥଣ୍ଡା ପବନ ,
ମେଘଖଣ୍ଡ ପଛରୁ ଝଟକୁଛି
ତାରା ଆଉ ଜହ୍ନ।
ବଳକା ରହିଛି ପୁଣି ଯାତ୍ରା ଆଉ ତିନି ଘଡିର ,
ଥିଲା ତେବେ ସ୍ୱପ୍ନ ଏ ଦୂର ଅତିତର !...
ପିଲାଦିନେ ମନ ଥିଲା ସତେ
କେଡେ ନିଶ୍ଚିତ ନିର୍ଜଞ୍ଜାଳ,
କେଡେ ମଉଜରେ କଟୁଥିଲା
ସେସବୁ ଦିନ କାଳ।
ପ୍ରକୃତିସ୍ଥ ହେଇ ହସିଉଠେ ହୃଦ ଅନ୍ତର ,
ଗାଡି ପୁଣି ଗଡିଚାଲେ ଗନ୍ତବ୍ୟ ସ୍ଥଳର ।
