ହୋଇଛି ମରତବାସୀ
ହୋଇଛି ମରତବାସୀ
ଛଦ୍ମବେଶ ଧରି ଆସିଅଛୁ ବୋଲି
ପାରିବିନି କି ରେ ଜାଣି,
ସଂସାର ମଧ୍ୟରେ ଏଡ଼େ ବଡ଼ ବକ
ଅତି ଅଦଭୁତ ଠାଣି ।
ଗୋରୁଗଣ ଏଠି ଚରୁଛନ୍ତି ତୃଣ
ସଖାମାନେ ଛନ୍ତି ଠୁଳ,
ମନେ ମନେ ଭାବି ଆସିଅଛୁ ତୁହି
କରିବାକୁ କିଛି ଗୋଳ ।
ମୋତେ ଗିଳିବାକୁ ପ୍ରୟାସ କଲୁଣି
ଚାହାଁ ତୋ ଥଣ୍ଟକୁ ଧରି,
ଏଇକ୍ଷଣି ତାକୁ ଚିରିଦେବି ନିଶ୍ଚେ
ଏଠି ଦୁଇଫାଳ କରି ।
ତଥାପି ଯେବେ ତୁ ଛଳ କରି ମୋତେ
'ବକାସୁର' ଦେବୁ ଗିଳି,
ତପତ ହୋଇ ମୁଁ ତାଳୁ ଫୁଟାଇକି
ଏଠିକୁ ଆସିବି ଚଳି ।
ସାରା ଜଗତକୁ ସୁରକ୍ଷା ଦେବାକୁ
ହୋଇଛି ମରତବାସୀ,
ତୋହଭଳି ଯେତେ ଦୁଷ୍ଟ ଛନ୍ତି ଏଠି
ସମସ୍ତଙ୍କୁ ଦେବି ନାଶି ।
