ଏବର ରଜ
ଏବର ରଜ
କହନ୍ତି ସମସ୍ତେ ଏ ପରବ
ଖାଲି କଣ ଝିଅଙ୍କର ସତରେ ,
ଇଏ ତ ପର୍ବ ସବୁ ଓଡିଆଙ୍କର ,
ଓଡିଶା ପଲ୍ଲୀ ମାଟିରେ ।
ବାଳିକାଙ୍କୁ ପ୍ରାଧାନ୍ୟ ଦିଆହୁଏ
ଆମର ଏଇ ରଜରେ,
ଆଉ କିଛି ନିଆରା ହସର ଜୋତ୍ସ୍ନା
ଭରିବା ଦିନ,ବନିତା ମନରେ।
ଛୁଟି ନେଇ ସବୁ କାମରୁ ,
ସଜେଇ ହୋଇ ପ୍ରସାଧନରେ,
ତିନିଦିନ ବିତାଅନ୍ତି ମଜାରେ ।
ସେ କୁନି ମନର ଖୁସି ବଞ୍ଚେ ,ନୁଆ ଜାମାରେ ,
ମିଠା ଖିଲିପାନରେ, ସରୁ ଅଳତା ଧାରରେ ,
ଦୋଳି ଝୁଲଣର ବାଆରେ ।
ଉତ୍କଣ୍ଠା ଭରେ କେତେ ସଭିଙ୍କ ମନରେ ,
ମହକି ଉଠେ ସବୁ ହାଣ୍ଡିଶାଳ
ଖିରି,ଖେଚୁଡି ପୋଡପିଠାରେ ।
ଗାଁ ମାଟି ରଜ ମହକ ଉନ୍ମାଦନା ଆଣେ
ପ୍ରବାସୀ ସହରି ଭଡାଟିଆ ମନରେ,
ଝୁମି ଆନନ୍ଦେ ଚାଲିଆସେ
ଗାଁ ବସ୍ ର ଖୁନ୍ଦା-ଖୁନ୍ଦି ଭିଡରେ ।
ସୁମରଣା କରି ଇନ୍ଦ୍ରଦେବଙ୍କୁ ଚଷାପୁଅ
ହସେ, ଅଷାଢୁଆ ପହିଲି ବର୍ଷାରେ।
କଦମ୍ବ ,ଜାମୁ ପେନ୍ଥା ଦୋହଲେ
ତରୁଡାଳେ, ଆଦ୍ୟ ମେଘର ଛିଟାରେ।
ନୂଆ ବୋହୁର ଘର ପୁରିଉଠେ
ଲିଚୁ, ଜାମୁ, ଆମ୍ବ, ପଣସ ବାସ୍ନାରେ,
ଗ୍ରାମ୍ୟ ବାଳକେ ମସଗୁଲ ଦିନଭର
ଲୁଡୁ, ତାଆସ, ବାଗୁଡି ଖେଳରେ ।
ସହର ତ ପୁଣି ହଜିଲାଣି ଏବେ
କେଡେ ନିଆରା ପଣରେ,
ରଜ ଦୋଳି , ପିଠାପଣାର ଦୋକାନ
ସବୁ ପାର୍କ ଆଉ ପଡିଆରେ।
ସହରେ ଏବେ ମିଳିଲାଣି ସବୁ
ଟଙ୍କା ପଇସାରେ ।
ଉଲ୍ଲାସ , ଆନନ୍ଦ , ଉନ୍ମାଦ ଆସେ
କେତେ ଯେ ଅଜଣା ଢଙ୍ଗରେ ।
ଝୁମିଝୁମି ନାଚି ଉଠେ ଓଡିଆ ମାଟି
ଆମ ଏ ବିଶେଷ ପର୍ବ ଦିନରେ।
