ମହାସତୀ ବୃନ୍ଦାବତୀ
ମହାସତୀ ବୃନ୍ଦାବତୀ
( ରାଗ -- ବିଭାସ କେଦାର )
ଧର୍ମଧ୍ଵଜ କନ୍ୟା ଗୁଣେ ତ ଅନନ୍ୟା।
ବେଦମତୀ ଧନ୍ୟା କଲେ ଅଗ୍ରଗଣ୍ୟା।।
ପିତାମାତା ପୁଣ୍ୟେ ସୁନାମ ଅର୍ଜନେ।
ଥିଲେ ସୁସ୍ଥ ମନେ ବୈକୁଣ୍ଠ ଭୁବନେ।।
ରାଧା ଅଭିଶାପେ ହୃଦୟ ବିଳାପେ।
ରହି ଅନୁତାପେ ଜନ୍ମିଲେ ସ୍ବରୂପେ।।
ବୃନ୍ଦାରୁ ତୁଳସୀ ନାମ ଯେ ପ୍ରକାଶି।
ଅନିନ୍ଦ୍ୟ ରୂପସୀ ସରଗର ଶଶି।।
ଦୈତ୍ୟ ଜଳନ୍ଧର ପରାକ୍ରମୀ ବୀର।
ସାଥେ ବାହାଘର ହେଲା ତୁଳସୀର।।
ତୁଳସୀ ଯେ ସତୀ ପତିବ୍ରତା ଅତି।
ସ୍ଵାମୀ ପାଦେ ଭକ୍ତି ରଖିଥିଲେ ଚିନ୍ତି।।
ଯୁଦ୍ଧେ ଜଳନ୍ଧର ଜିଣିଲେ ତ୍ରିପୁର।
ବେଳୁ ବେଳ ତାର ବଢ଼ି ଅହଂକାର।।
ଅତ୍ୟାଚାରେ ମହୀ ପାରିଲାନି ସହି।
ସର୍ବେ ଦୁ଼ଃଖେ ରହି କଲେ ତ୍ରାହି ତ୍ରାହି।।
ସତୀର ସିନ୍ଦୁର ସିନ୍ଥିରେ ଅକ୍ଷର।
ରହି ଥାଏ ଚିର ଦିଏ ସଦା ବର।।
ପିନ୍ଧି ସେ ସିନ୍ଦୁର ଦୈତ୍ୟ ଜଳନ୍ଧର।
ଜିଣେ ବାର ବାର ରହିଲା ଅମର।।
ମହାସତୀ ପାଇଁ କେବେ ହାରୁ ନାହିଁ।
ସତ୍ୟ ଧର୍ମେ ଚାହିଁ ଯାଏ ସ୍ଵାମୀ ଯହିଁ।।
ପଡ଼ିଲା ପ୍ରମାଦ ହଜିଲା ଆନନ୍ଦ।
ଆପଦ ବିପଦ ଦେଲା ଅବସାଦ।।
ଥିବା ଯାଏଁ ସତୀ ତୁଳସୀ ସୁମତି।
ହେବ ନାହିଁ କ୍ଷତି ଜଳନ୍ଧର ଇତି।।
ସର୍ବେ କରି ସ୍ତୁତି ବିଷ୍ଣୁଙ୍କୁ ଆପତ୍ତି।
କଲେ ଭାବି ଚିନ୍ତି ଦିଅନ୍ତୁ ମୁକତି।।
ଶିବ ଜଳନ୍ଧର ଯୁଦ୍ଧ ଭୟଙ୍କର।
ପୃଥ୍ୱୀ ଥରହର ହେଲା ହାହାକାର।।
ମାୟା ବେଶେ ଆସି ଛଦ୍ମରେ ପ୍ରକାଶି।
ହରିଲେ ତୁଳସୀ ନିଷ୍ଠା ବ୍ରତ ନାଶି।।
ଜଳନ୍ଧର ବେଶେ ସତୀତ୍ଵ ବିନାଶେ।
ସତୀ ନାରୀ ପାଶେ ହାରିଲେ ବିଶ୍ଵାସେ।।
ଜାଣି ପାରି ସତୀ କ୍ଷୋଭ କଲେ ଅତି।
କପଟରେ ଜିତି ବଧିଲେ ତା' ପତି।।
ବୈଧବ୍ୟ ଯନ୍ତ୍ରଣା କରିବାକୁ ଊଣା।
ପ୍ରାଣେ କରି ଘୃଣା ସତୀ ଧର୍ମପ୍ରାଣା।।
ଜୁଇରେ ପଶିଲେ ଜୀବନ ନାଶିଲେ।
ବିଷ୍ଣୁ ତା' ଦେଖିଲେ ଚିନ୍ତିତେ ରହିଲେ।।
ନିନ୍ଦା ଅପବାଦେ ବିଷ୍ଣୁ ଅବସାଦେ।
ରହିଲେ ବିଚ୍ଛେଦେ ପାପ ତାପ ଖେଦେ।।
ସେ ଦିନୁ ତୁଳସୀ ପାଶେ ହୋଇ ଦୋଷୀ।
କରିବାକୁ ଖୁସି ଶାଳଗ୍ରାମ ବେଶୀ।।
ହେଲେ ଭାବଗ୍ରାହୀ ଶାନ୍ତ ହେଲା ମହୀ।
ବୃନ୍ଦା ମୂଳେ ରହି ମୁଣ୍ଡେ 'ଛନ୍ତି ବୋହି।।
ହୋଇ ମହାସତୀ ମାଆ ବୃନ୍ଦାବତୀ।
ଘର ଆଗେ ନିତି ପୂଜା ପାଉଛନ୍ତି।।
ତ୍ରି ସନ୍ଧ୍ୟାରେ ପୂଜି ଧରମ ଅରଜି।
ଭକ୍ତି ଚିତ୍ତେ ମଜି ଶାନ୍ତି ପା'ନ୍ତି ଖୋଜି।।
ଦେବୀ ବୃନ୍ଦାବତୀ ହୋଇ ମହାସତୀ।
ପ୍ରାଣୀ ହିତେ ବ୍ରତୀ ଶୁଣନ୍ତି ମିନତି।।
