ଭିନ୍ନ ଏକ ଶୈଶବ
ଭିନ୍ନ ଏକ ଶୈଶବ
ଭୋକିଲା ପେଟର ବୋଝ,
ପିଠିରେ ମୋର ବୋହି,
ନିତି ନିତି ଖୋଜି ବୁଲେ,
ମୋ ଭାଗର ଭାତ ମୁଠାକ,
ତୁମେ ଫିଙ୍ଗିଥିବା
ଏଇ ଅବର୍ଜନା ଅଳିଆ ଗଦାରୁ ।
ସାଉଣ୍ଟି ସାଇତି ରଖେ
ଗୋଟି ଗୋଟି ଖାଲି ପଲିଥିନ
ଆଉ ଖାଲି ଦାରୁର ବୋତଲ,
ବଡ ଆଶାରେ ଗୋଟାଇ ନିଏ
କାଳେ କିଛି ମିଳି ଯିବ,
ତୁମ ପିଙ୍ଗା ଅଳିଆ ଭିତରୁୁ ।
ମୋ ପାଇଁ ଟଙ୍କେ ଦି ଟଙ୍କାର
ହୀରା, ନିଳା ଅବା ମୋତି,
ସେଇ ହେବ ଆହାର ମୋର,
ପୁରା ପେଟ ନ-ଭରିଲେ ନାହିଁ,
କେହି ତ କହିବନି
ମୁଁ ଖାଲି ପେଟ ଶୋଇ ଗଲି ବୋଲି !
ମୁଁ ତ ମାଗିନି କେବେ
ଚଉକି ଟବୁଲରେ ବସି
ଖୀରି, ପୁରି, ପିଜ୍ଜା, ବର୍ଗର ଅବା
ପେଟ ପୁରା ସ୍ୱାଦିଷ୍ଟ ଭୋଜନ,
କେଇ ମୁଠା ସୁଖିଲା ଭାତ ଆଉ
ଚିମୁଟାଏ ଲୁଣ ଯେ ଯଥେଷ୍ଟ ହେବ,
ପିଞ୍ଜରା ହାଡ ତଳେ ଡହ ଡହ ଜଳୁଥିବା,
ଏଇ ମୋର ଭୋକିଲା ପେଟ ପାଇଁ ଅନ୍ନ ।
ମୁଁ ତ ଚାହିଁନି କେବେ, ଉଚ୍ଚା ଉଚ୍ଚା କୋଠାରେ
ତୁଳିତଳ୍ପ ଶେଜରେ
ରେଷମୀ ଚାଦର ତଳେ ନିଘୋଡ ନିଦର ରାତି ।
ବର୍ଷାରେ ଭିଜି ଯାଏ ଯେବେ
ଗହୀରିଆ ରାତି ଅନ୍ଧାରରେ
ନିଦ ବି ବାଟ ବଣା ହୁଏ,
ରାସ୍ତା କଡ ଫୁଟପାଥର ଛାତି ଥରି ଯାଏ ।
ମୋ ସାଥେ ଶୋଇବାକୁ,
ହାଡଭଙ୍ଗା ଶିତରେ ନିଦ ଡରି ଯାଏ,
ଆଉ ଲୁଚି ଲୁଚି ବାଟ ଭାଙ୍ଗି ଚାଲି ଯାଏ ।
ମୁଣ୍ଡ ଉପରେ ଚାଳି ଖଣ୍ଡେ,
ଦି ଖଣ୍ଡ ଅଖା ତ ଯଥେଷ୍ଟ ହେବ
ମୋର ଗହନ ନିଦ ପାଇଁ,
ଦି’ଘଡିର ନିଧକ ନିଦ
ଆଖି ମୋର ପ୍ରତି ରାତି ଖୋଜୁ ଥାଏ ।
ବଡ ବଡ ସ୍କୁଲ କଲେଜର
ଡିଗ୍ରୀ ମୁଁ ଚାହିଁ ନାହିଁ କେବେ, ହେଲେ
ମନ ମୋର ଡହଳ ବିକଳ ହୁଏ
ଜାଣିବାକୁ ଦେଶ ଦୁନିଆର କଥା ।
ହାତ ଧରି କେହି ତ
ଶିଖାଇ ଦିଅନ୍ତା ମୋତେ,
ଅ ଆ ଇ ଈ ଆଉ,
ବର୍ଣ୍ଣବୋଧ ଅଣଚାଳିଶ ଅକ୍ଷର ।
ଜାଣେ ନାହିଁ,
କେଉଁ ପାପ ଅବା ପୂଣ୍ୟ ଫଳ,
ତୁମକୁ ଆଉ ମୋତେ
ଏତେ ଅଲଗା ଗଢିଛି,
ତୁମକୁ ନ ମାଗି ମିଳିଛି ଏତେ
ଆଉ ଏଠି ମାଗିବାକୁ
ମୋତେ ସରମ ଲାଗୁଛି ।
ଖଣ୍ଡେ ପିନ୍ଧି, ଗଣ୍ଡେ ଖାଇ
ଦି’ଘଡି ଶାନ୍ତିରେ ଶୋଇବା,
ଏଇ ଅଧିକାର ମିଳିବ କି ମୋତେ ?
ଭଗବାନ ମୋ କପାଳେ ଏତିକି ଲେଖିଛି,
ମୋ ପାଇଁ କୁହ ଅବା କିଏ ସେ ଭାବୁଛି ?
