ପ୍ରଥମ ମିଳନ ବେଳା
ପ୍ରଥମ ମିଳନ ବେଳା
କେତେ କଥା ଆଜି, ମନେ ପଡେ ହେଲେ,
ମନେ ପଡେ ନାହିଁ, ପ୍ରଥମ ମିଳନ କଥା ।
କଥା ତ ନ ଥିଲା, ଦେଖା ହେବ ବୋଲି,
କେମିତି କେଜାଣି, ଅଚାନକ ହେଲା ଦେଖା ।
ପ୍ରଥମ ଦେଖାରେ, ମିଳି ଗଲା ଯେବେ,
ତୃଷାରେ ଆତୁର, ପ୍ରଣୟର ଚାରି ଆଖି,
ଯୌବନର ସେଇ, ପହିଲି ବୟସେ,
ମଳୟ ପରଶେ, ବେପଥୁ ରହିଲା ସାକ୍ଷୀ ।
ଶବଦ ନ ଥିଲା, ନିରବ ନିଶବ୍ଦେ,
ତୁମ ଦୁଇ ଆଖି, କେତେ କଥା କହି ଗଲା,
ସବୁ କଥା ଆଜି, ମନେ ପଡେ ହେଲେ,
ମନେ ପଡେ ନାହିଁ, ପ୍ରଥମ ମିଳନ ବେଳା ।
ମନ ବୀଣା ଯେବେ, ଝଂକୃତ କରିଲା,
ମିଳନର କେଉଁ ମଧୂର ରାଗ,
ରାଗ ଅନୁରାଗେ, ରୋମାଞ୍ଚିତ ହେଲା,
ସାଗରେ ସରିତ, ପ୍ରୀତି ଆବେଗ ।
ଜୀବନର ଏଇ, ଜମୁନା ଜଳରେ,
ଅନେକ ଜୁଆର, ଖୋଜୁଛି ପ୍ରାଣର ସଖା,
କଥା ତ ନ ଥିଲା, ଦେଖା ହେବ ବୋଲି,
କେମିତି କେଜାଣି, ଅଚାନକ ହେଲା ଦେଖା ।
କଳିକା ଯେତେକ, ଫୁଲ ଫୁଟି ଗଲେ,
ମଧୂ ମହକରେ, ଭରିଗଲା ଉପବନ,
ମନ ଉପବନେ, ଗାଇଲା କୋକିଳ,
ଲାଜର ଅବିର, ବୋଳି ଚାଲି ଗଲା,
ପ୍ରଣୟ ରଙ୍ଗେ, ରଙ୍ଗାଇଲା ତନୁ ମନ ।
ମନେ ପଡେ ହେଲେ, ମନେ ପଡେ ନାହିଁ,
ସେଇ ମୁହୂର୍ତ୍ତର, କେତେ ଅନ୍ତରଙ୍ଗ କଥା,
ଆଉ ଥରେ ମନ, ଖୋଜୁଛି ସେ ଦିନ ,
ସେଇ ଅନୁଭୂତି, ସେଇ ସ୍ପନ୍ଦନ ବ୍ୟଥା ।