STORYMIRROR

Kabiratna Nutan Kumar Behera

Drama Action Classics

4  

Kabiratna Nutan Kumar Behera

Drama Action Classics

ଶ୍ରୀରାମଙ୍କ କରୁଣା ଲଭିଲା ଶବରୀ

ଶ୍ରୀରାମଙ୍କ କରୁଣା ଲଭିଲା ଶବରୀ

1 min
176

 

ଭକତିର ଭାବ   ହେଲେ ଅନୁଭବ

     ହୃଦୟ ରହେ ପବିତ୍ର,

ପ୍ରଭୁ ନାମ ଜପି    ହୁଏ ଜଣେ ତପି 

    ନିର୍ମଳ ରଖେ ଚରିତ୍ର।

ଭକତିର ରସ    ସଂସାରେ ପୀୟୂଷ

   ପାନ କଲେ ମିଳେ ଶାନ୍ତି,

ତରି ଯାଏ ଭକ୍ତ    ପାଇ ଦିବ୍ୟ ଶକ୍ତି

     ଦୂର ହୁଏ ଭୟ ଭ୍ରାନ୍ତି।

ଭକ୍ତ ଲାଗି ସଦା   ହୋଇଥାନ୍ତି ସାହା

     ଦେଇଥାନ୍ତି ସେ ଦର୍ଶନ,

ଭକ୍ତ ଭଗବାନ      ଭାବ ଚିରନ୍ତନ

      ଅତୁଟ ଭକ୍ତି ବନ୍ଧନ।

କହେ ରାମାୟଣ   ଦେଇ ତା' ପ୍ରମାଣ

     ଶବରୀର ଭକ୍ତି ଗାଥା,

ତ୍ରେତୟା ଯୁଗରେ   ରାମ ଅବତାରେ 

    ପ୍ରଭୁ ରଖିଲେ ତା' କଥା।

ମୁଖିଆର କନ୍ୟା   ନାମ ତା' ଶ୍ରମଣା

     ଭିଲ ସଂପ୍ରଦାୟେ ଜନ୍ମ,

ସରଳା ଅବଳା     ନିରୀହା ମହିଳା    

     ପାଳୁଥିଲା ସତ୍ୟ ଧର୍ମ।

ତା' ବିବାହ ଲାଗି   ପଶୁ ବଧ ରୋକି

     ଗୃହ ଛାଡି ଗଲା ବନେ,

ବିବାହ ନ କରି   ସନ୍ୟାସିନୀ ହୋଇ

     ରହିଲା ପ୍ରଭୁଙ୍କ ଧ୍ୟାନେ।

ମାତଙ୍ଗ ମହର୍ଷି    ଶରଣରେ ପଶି

     ପାଇଲା ସେ ଶାସ୍ତ୍ର ଜ୍ଞାନ,

ମନେ ଅଭିଳାଷ   ଥିଲା ତା' ଅଶେଷ

      ପାଇବ ପ୍ରଭୁ ଦର୍ଶନ।

ଫଳ ମୂଳ ନିତି    ଆଣେ ଜାତି ଜାତି

      ଯତନେ ରଖେ ସାଇତି,

ଆସିବେ ଶ୍ରୀରାମ   ପ୍ରଭୁ ସେ ପରମ 

    ଖାଇଲେ ଲଭିବେ ତୃପ୍ତି।

ଆସିବା ବାଟରେ    ସଜାଇ ଫୁଲରେ    

     ବସି ଥାଏ ସେ ଅନାଇଁ ,

ପ୍ରଭୁ ଆସି ଯେବେ ଫୁଲେ ପାଦ ଦେବେ

      ଯିବ ବେଗେ ସିଏ ଧାଇଁ।

ଆଶା ସ୍ବପ୍ନ ତାର  ହେଲା ଯେ ସାକାର

     ପ୍ରଭୁ ଆସିଲେ ସାକ୍ଷାତ,

ଶ୍ରୀରାମ ଲକ୍ଷ୍ମଣ   ସୀତାଙ୍କୁ ଖୋଜିଣ 

     ଆସି ହେଲେ ଉପସ୍ଥିତ।

ପାଖରେ ବସାଇ   ଦେଲା ସେ ଖୁଆଇ

     ମିଠା କଷା ଫଳ ଚାଖି,

ଆନନ୍ଦରେ ପ୍ରଭୁ    ଖାଇଲେ ତ ସବୁ 

     ତା'ର ଅଇଁଠା ନ ଦେଖି।

ଦୀର୍ଘ ବରଷର    ତପସ୍ୟା ଯେ ତାର

     ପୂର୍ଣ୍ଣ କଲେ ଦୟାମୟ,

ଶ୍ରମଣା ଶବରୀ    ଦର୍ଶନ ସେ କରି

      ସନ୍ତୁଷ୍ଟ କଲା ହୃଦୟ।

ପ୍ରଭୁଙ୍କ ଦର୍ଶନେ   ମୋକ୍ଷ ଲଭି ପ୍ରାଣେ

    ହେଲା ସେ ଯେ ନିର୍ବିକାର,

ପୁଣ୍ଯଫଳ ପାଇ     ବୈକୁଣ୍ଠକୁ ଯାଇ 

      ରହିଲା ଚିର ଅମର।

ପ୍ରଭୁ କୃପାସିନ୍ଧୁ       ଭକତର ବନ୍ଧୁ

      ମହିମା ତାଙ୍କ ଅପାର,

ଜୀବନ ତା' ଧନ୍ୟ   କରେ ଯେ ଦର୍ଶନ 

      ଯଥାର୍ଥ ଜନମ ତାର।

ଶବରୀ ଶ୍ରମଣା      ପ୍ରଭୁଙ୍କ କରୁଣା

      ଲଭିଲା ତା' ପୁଣ୍ୟବଳେ,

ହୃଦେ ଭକ୍ତି ଭାବ   ଥିଲେ ତରେ ଜୀବ

     ଯଶ ରହେ ମହୀତଳେ।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama