STORYMIRROR

Kabiratna Nutan Kumar Behera

Abstract Drama Classics

4  

Kabiratna Nutan Kumar Behera

Abstract Drama Classics

ଦାରିଦ୍ର୍ୟ ଭଞ୍ଜନୀ ଦେବୀ କମଳିନୀ

ଦାରିଦ୍ର୍ୟ ଭଞ୍ଜନୀ ଦେବୀ କମଳିନୀ

1 min
296


ନମସ୍ତେ ନମସ୍ତେ ଲକ୍ଷ୍ମୀ ଠାକୁରାଣୀ

     ଦାରିଦ୍ର୍ୟ ଭଞ୍ଜନୀ ଦେବୀ କମଳିନୀ ଯେ,

ପାଦ ପଦ୍ମେ ତୁମ କରୁଛି ମାଗୁଣି

     ସଦୟ ହୁଅ ମା' ଡାକ ମୋର ଶୁଣି ଯେ।

ତୁମେ ମାଆ ଅନ୍ନପୂର୍ଣ୍ଣା ମହାଲକ୍ଷ୍ମୀ

       ମହାପ୍ରଭୁ ଜଗନ୍ନାଥ ତୁମ ସ୍ବାମୀ ଯେ,

କୃପାରେ ତୁମର ସଂସାରେ ଜନମି

     ଧନେ ଜ୍ଞାନେ ଜନ ହୁଏ ପରାକ୍ରମୀ ଯେ।

ତୁମେ ଦୟାମୟୀ ଜଗତ ଜନନୀ

     ସବୁରି କଲ୍ୟାଣେ କଲ୍ୟାଣକାରିଣୀ ଯେ,

ସୁଖ ଶାନ୍ତିଦାତ୍ରୀ ଅଭୟଦାୟନୀ

      ବିଶ୍ଵ ହିତେ ତୁମେ ମଙ୍ଗଳକାରିଣୀ ଯେ।

କେ ବର୍ଣ୍ଣି ପାରିବ ତୁମର ମହିମା

     ତୁମେ ସାଗରଦୁଲ୍ଲଣୀ ରାଜଜେମା ଯେ,

ତୁମ କରୁଣାର ନାହିଁ ଶେଷ ସୀମା

        ବିଶ୍ଵର ପ୍ରକୃତି ତୁମରି ସୁଷମା ଯେ।

ପବିତ୍ର ମନେ କରି ପୂଜା ଅର୍ଚ୍ଚନା

    ନିଃସ୍ବ ଲଭେ ସର୍ବ ପାଏ ସେ କରୁଣା ଯେ,

ଶୁଣି ତୁମେ ମାଗୋ ସବୁରି ପ୍ରାର୍ଥନା

        ପୂରଣ କରି ଦିଅ ମନସ୍କାମନା ଯେ।

ପୂଜି ତୁମକୁ ସେ ଶ୍ରୀୟା ଚଣ୍ଡାଳୁଣୀ

     ଧନଧାନ୍ୟ ପୁତ୍ରେ ହେଲା ରାଜରାଣୀ ଯେ,

ତୁମେ ସର୍ବଜନର ଦୁଃଖନାଶିନୀ

     ତୁମେ ଐଶ୍ୱର୍ଯ୍ୟ ପ୍ରାଚୁର୍ଯ୍ୟ ପ୍ରଦାୟିନୀ ଯେ।

ସ୍ଵୟଂ ପ୍ରଭୁ ଜଗନ୍ନାଥ ବଳଭଦ୍ର

         ତୁମକୁ କରିଥିବାରୁ ଅନାଦର ଯେ,

ବାର ବର୍ଷ ହେଲେ କାଙ୍ଗାଳ ଦରିଦ୍ର

     ତାଙ୍କ ଅହଂଭାବ ହେଲା ଛାରଖାର ଯେ।

ଜଗତ ଜାଣିଲା ତୁମର ପ୍ରଭାବ

      ତୁମେ ମା' ସର୍ବସ୍ଵ ଐଶ୍ୱର୍ଯ୍ୟ ବିଭବ ଯେ,

ତୁମ ପାଇଁ ସଚରାଚର ଏ ଭବ

         ନିର୍ମଳ ପବିତ୍ର ତୁମର ସ୍ଵଭାବ ଯେ।

ମାର୍ଗଶୀର ମାସ ଗୁରୁବାର ଦିନ

        ତୁମକୁ ପୂଜଇ ଯିଏ ପାଏ ପୁଣ୍ୟ ଯେ,

ସୁଦଶାରେ ତୁମ ବ୍ରତର ପ୍ରାଧାନ୍ୟ

      ଦିଏ ଯିଏ ହୁଏ ତା' ଜୀବନ ଧନ୍ୟ ଯେ।

ତୁମ ପାଶେ ନାହିଁ କିଛି ଭେଦାଭେଦ

        ଜାତି ଧର୍ମ ବର୍ଣ୍ଣ ସବୁରେ ଦରଦ ଯେ,

ନିରପେକ୍ଷ ହୋଇ ଦିଅ ଗୋ ଆନନ୍ଦ

      ସୁଖେ ରଖ ତୁମେ ଘୁଞ୍ଚାଇ ବିପଦ ଯେ।

ତୁମ ଶରଣରେ ଶାନ୍ତ ରହେ ପ୍ରାଣ

      ପ୍ରଣମେ ଚରଣେ ଦିଅ ମା' ଶରଣ ଯେ,

ଆଶିଷର କରୁଣା କର ପ୍ରଦାନ

       ସୁଖେ ବିତୁ ସର୍ବଜନଙ୍କ ଜୀବନ ଯେ।

ଜୟ ମା'ଗୋ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ

     ଦୁଃଖ ଯେତେ ଦୂର କର ପଦ୍ମାସନୀ ଯେ,

ଦାରିଦ୍ର୍ୟଭଞ୍ଜନୀ ଦେବୀ କମଳିନୀ

      ଦୟାରେ ତୁମର ହସୁ ଏ ଧରଣୀ ଯେ।

        

         




       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract