STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଶୀତ ଲହରୀ

ଶୀତ ଲହରୀ

1 min
363

ସୁନା ଧାନ କ୍ଷେତ ଝୁଲାଇ ଝୁଲାଇ

ହସି ହସି ଆସେ ଶୀତ,

ସିରି ସିରି ହିମ ପବନ ସାଥିରେ

ଆସୁ ଆସୁ ବସେ ମିତ।


ଛୁଇଁବ ବୋଲି ସେ ଧାଏଁ ପଛେ ପଛେ

କବଳିତ କରେ ଶେଷେ,

ପ୍ରଥମେ ପ୍ରଥମେ ଭୟଭୀତ କରେ

ଅନ୍ତିମରେ ମନ ମିଶେ।


କାକର ବିନ୍ଦୁର ହୀରକ ଖଚିତ

ଧୁଆଁଳିଆ ପାଟ ପିନ୍ଧି,

କ୍ଳାନ୍ତ ସୁରୁଜକୁ ମଥାମଣି କରି

ସିନ୍ଥିରେ ତା ଦିଏ ଛନ୍ଦି।


ହରି ନିଏ ଯେତେ ଘର୍ମାକ୍ତ ମୁହୂର୍ତ୍ତ

କୁହୁଡ଼ି ପ୍ରଭାତୀ ସିଞ୍ଚି,

ଆଳସ୍ୟର ମାୟା ମୋହିନୀ ଚନ୍ଦନେ

କପାଳରେ ଚିତା ରଚି।


ହାରି ଯାଇଥିବା ଖରା ନଇଁ ଆସେ

ରାତି ଅଭିମାନେ ଫୁଲେ,

ଜହ୍ନ ହସେ ଚୁନା ଶେଫାଳିକୁ ଦେଖି

ତାରା ଫୁଲଙ୍କର ମେଳେ। 


ବିଲୁପ୍ତ କାମନା ଜାଗିଉଠେ ଖରେ

ଦେହ ଦେହାସକ୍ତ ହୁଏ,

ରୋମାଞ୍ଚିତ ହୁଏ ଜୀବନ ଯୌବନ

ଆତ୍ମା ପୁଲକିତ ହୁଏ। 


ଶୀତର ଲହରୀ ତରଙ୍ଗିତ ହୋଇ

ଭୂମିରୁ ଆକାଶ ଛୁଏଁ,

ଫେରିଆସେ ପୁଣି ଝୁରା କାକରରେ

ଧରା ମୁଖେ ମାଖି ହୁଏ।


କ୍ଳାନ୍ତି ମୁକ୍ତ ହୁଏ ଜୀବନର ଶ୍ରମ

କର୍ମ ଧାରେ ଫୁର୍ତ୍ତି ଜାଗେ,

ଶୀତ ଆସେ ନବ ଉତ୍ତେଜନା ନେଇ

ଭାଗ୍ୟ ଧାଏଁ କର୍ମ ଦିଗେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract