STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଶୀତ ଆସେ

ଶୀତ ଆସେ

1 min
364

ଏକ ଅନୁସନ୍ଧିତ୍ସୁ ଗୁପ୍ତଚର ଭଳି 

ଶୀତ ଆସେ 

ଦରାଣ୍ଡି ପକାଇ ଦେହ ଭିତରର ପୁରୁଣା ଉଷ୍ମତା ସବୁକୁ

ଷଡ଼ଯନ୍ତ୍ର କରି ବସେ ସବୁ କିଛି ଚୋରାଇ ନେବାକୁ 

ଯେତେ ଇଛା ସାଇତା ଉଶ୍ୱାସ

ଓ ଥମି ଯାଇଥିବା କିଛି ଧିମା ଅବଶୋଷ। 


ଛାତିରେ ଛାତିଏ ମୃତ୍ୟୁ ଧରି

ଶୀତ ଆସେ

ଜୀବନ ସନ୍ଧାନରେ ଛୁଇଁ ଯାଏ ଦେହରୁ ଦେହକୁ

ପ୍ରତି ଲୋମକୁପ ଦେଇ ଖୋଜିନିଏ ପଥ ତାର

ପହଞ୍ଚିବାକୁ ଦେହ ଅତିରିକ୍ତ ଚେତନା ପାଖରେ

ଛାଡ଼ିଦେଇ ଯାଏ ଢେର୍ ସାରା କମ୍ପିତ ଅନୁଭୂତି

କିଛି ଭୋଗିବାର ବାଧ୍ୟତା ସହିତ। 


ଏକ ପୂର୍ବ ସୂଚିତ ଯୋଜନା ସହିତ

ଶୀତ ଆସେ

ଧସେଇ ପଶେ ଆରାମ ଦାୟକ ଅଭିମାନର ସହରରେ

ହାଡ଼ ପରି ଭାଙ୍ଗି ବସେ ଅହଂ ମିଶା ଅନ୍ଧ ବିଶ୍ବାସ ସବୁକୁ

ଆଳସ୍ୟର ଆସକ୍ତିରେ ଘୁମାଇ ପଡ଼େ ପ୍ରଭାତୀ ସୂର୍ଯ୍ୟ

ଅକାରଣେ ଦୀର୍ଘ ହୁଏ ରାତି

ବାକିରହେ ଅନେକ କିଛି ସୁଖ ଦିବାସ୍ଵପ୍ନ

ଗୋଧୂଳି ଶେଷରେ। 


ଦେହଟିଏ ଅଛି ବୋଲି ମନେ ପକେଇ ଦେବାକୁ

ଶୀତ ଆସେ

ଉଖାରି ବସେ ପୁରୁଣା କ୍ଷତ ସ୍ଥାନ ସବୁ

ଛୁଇଁ ଯାଏ ଜୀବନର ପରିଧିରୁ କେନ୍ଦ୍ର ପର୍ଯ୍ୟନ୍ତ

ଅନୁଭୂତିର ବ୍ୟାସାର୍ଦ୍ଧ ଦେଇ

ଓ ଅନେକ କିଛି ଆର୍ତ୍ତନାଦ ଭିତରେ ଉଷ୍ମତାର ଉଚ୍ଛ୍ୱାସ ସହିତ

ପରିଚୟ ଦେଇଯାଏ ଶୀତ ବୋଲି ସ୍ଵତଃ ନିଜ ନାମ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract