ନୀରବ ମୃତ୍ୟୁର ସହର
ନୀରବ ମୃତ୍ୟୁର ସହର


ମୃତ୍ୟୁର ସହରରେ ପାଦ ରଖି,
ନୀରବି ଯାଇଛି
ମୋ ନିର୍ଦ୍ଦୟ ମନର ସବୁ ହିଂସ୍ରତା
ହେ ମୃତ୍ୟୁ !
ତୁମେ କେବଳ ଆପଣାର କରି ନାହଁ ମୋତେ
ଅଥଚ
ମୋ ମନରେ ଭରିଛ ଦିବ୍ୟତା ।
ନୀରବ ମୃତ୍ୟୁର ସହରେ
ମୁଁ ଆଜି ସ୍ପଷ୍ଟ ଶୁଣିପାରୁଛି
ଅନ୍ତର ଭିତର ବର୍ବରତା
କେବଳ ନିଜ ପାଇଁ
ବଞ୍ଚିବାର ପଣ ନେଇ ଲୋଭଗ୍ରସ୍ତ
ଦୁଃସ୍ତ ଏକ ମାନସିକତା ।
ମୁଁ ଆଜି ପାଇଛି ସନ୍ଧାନ,
ଯାହାକୁ ଖୋଜି ଖୋଜି ହଜିଥିଲା ମୋର ପ୍ରାଣ
ସେ ଆତ୍ମଜ୍ୟୋତିର ମହାନ ସତ୍ତା
ଜୀବନରେ ଯାହା ମିଳିପାରିଲା ତ ନାହିଁ ,
ମୃତ୍ୟୁ ଆଣିଦେଲା ସେହି ପୂର୍ଣ୍ଣତା ।
ମୃତ୍ୟୁର ସହରେ ନାହିଁ ଭେଦ ଭାବ
ନିଜ ପର ଅବା ଶତ୍ରୁ ମିତ୍ର ଠାବ
ଏଠି ସଭିଏଁ ନିଜର, ପୁଣି ସଭିଏଁ ତ ପର
ମୃତ୍ୟୁ ଆଣିଦିଏ ପୂର୍ଣ୍ଣ ସମତା ।
ମୃତ୍ୟୁକୁ ଆଲିଙ୍ଗନ କରିବା ପରେ
ବୁଝିପାରିଛି ମୁଁ
ମୃତ୍ୟୁ ଅନ୍ତରାଳେ, ଜୀବନର ମଧୁରତା
ଏଠି ଅମାବାସ୍ୟାର କାଳ ରଜନୀ ବି
ଅବିଶ୍ରାନ୍ତେ ଆଣିଦିଏ ଜ୍ୟୋତ୍ସାସିକ୍ତା ଶୁଭ୍ରତା ।
ମୃତ୍ୟୁର ସହରେ ନାହିଁ
ନିତି ନିତି ବଞ୍ଚିବାର ସଂଘର୍ଷ,
କେବଳ ଜୀଇଁ ରହିବାର ତିକ୍ତ ଆବଶ୍ୟକତା
ଏଠି କେବଳ ମୃତ୍ୟୁର ରାଜୁତି
ପ୍ରତିଦିନ ଶିଖାଏ ନୂଆ ଭାବପ୍ରବଣତା ।
ଅସାର ସଂସାରକୁ ଯେବେ କରି ମୁଁ ପର
କୋଳେଇ ନେଲି ମୃତ୍ୟୁକୁ ,
ମୃତ୍ୟୁର ନୀରବ ସହର
ମୋ ଭିତରେ ତୋଳିଦେଲା
ଶ୍ରଦ୍ଧେୟ ଶବ୍ଦର ଶୀତଳତା ।
ସେହି ନୀରବତାର ପ୍ରତିଟି
ଅବିନାଶୀ ଆର୍ତ୍ତନାଦ
ଆଜି ବି ମୃତ୍ୟୁର ସହରେ ବୁଣିଦିଏ ଆତ୍ମିୟତା ,
ମୃତ୍ୟୁ ସ୍ପର୍ଶେ ;
ହୃଦୟ ହୁଏ ନବ ପଲ୍ଳବିତା ।