ମଣିଷ ହେଉ ଅହିଂସ
ମଣିଷ ହେଉ ଅହିଂସ
ଭାବେ ମହାମୁର୍ଖ ଅଧିକ ଚତୁର
ପାରଙ୍ଗମ ଧୂରନ୍ଧର
ଆରୋହୀ ବୃକ୍ଷରେ ଭୁଞ୍ଜିବ ଏକାକୀ
ସୁଖ ସୁମଧୁର ଫଳ ।
ବଳ ପରାକ୍ରମ ଧନ ଐଶ୍ଵର୍ଯ୍ୟ
କ୍ଷମତା ଅପ୍ରତିହତ
ଶିଖରେ ସୁରକ୍ଷ ନାହାନ୍ତି କେ ତାର
ପ୍ରତିପକ୍ଷ ସମକକ୍ଷ ।
ଭୋଗ ବିଳାସରେ ପ୍ରଲୁବ୍ଧ ମଣିଷ
ବୁଝେନାହିଁ ଭଲମନ୍ଦ
ସ୍ବାର୍ଥ ସିଦ୍ଧି ପାଇଁ କରି ଚାଲେ ସିଏ
ନୀଚ୍ଚ ଅନୈତିକ କାମ ।
ହରାଇ ନିଜର ବୁଦ୍ଧି ଓ ବିବେକ
ହିତାହିତ ସଦଜ୍ଞାନ
ପାଲଟେ ମଣିଷ ପାଷାଣ୍ଡ ବର୍ବର
ବ୍ଯଭୀଚାରୀ ସଇତାନ ।
ମାନେ ନାହିଁ ମୁର୍ଖ ମାତା ପିତା ଗୁରୁ
ଧର୍ମ ପୁଣ୍ଯ ଭଗବାନ
ବସିଥାଏ ନିଜେ ଯେଉଁ ବୃକ୍ଷ ଡାଳେ
କରଇ ମୂଳ ଛେଦନ ।
ଅଜ୍ଞାନୀ ମୁରୁଖ ଜନ୍ମ ଅକାରଣ
ପାପ ଅଭିଶାପ ବିଷ
କରେ ନାହିଁ ମୁର୍ଖ ପର ଉପକାର
ସମାଜ ବୋଝ ସଦୃଶ ।
ସବୁଜ ସୁନ୍ଦର ହେଉ କଳ୍ପବୃକ୍ଷ
ମଣିଷ ହେଉ ଅହିଂସ
ନ ଛାଡିଲେ ଦମ୍ଭ ବୃଥା ଅହଙ୍କାର
ହୋଇବ ଧ୍ବଂସ ବିନାଶ ।