STORYMIRROR

NIRANJAN MALLA

Tragedy

4  

NIRANJAN MALLA

Tragedy

ଅବ୍ୟକ୍ତ ଯନ୍ତ୍ରଣା

ଅବ୍ୟକ୍ତ ଯନ୍ତ୍ରଣା

1 min
576


ଜୀବିତ ରହିଗଲେ ପୁଣି ଥରେ

ଦେଖାହବ ପରିପୂର୍ଣ୍ଣ

କରିବା ପାଇଁ ସେଇ ନଭଶ୍ଚୁମ୍ଭୀ

ଅଟ୍ଟାଳିକା ତଳେ

ସଢି ଗଲୁଣି ଭୋକିଲା ପେଟରେ

ପ୍ଲାଷ୍ଟିକ୍ ଜରି ଆଚ୍ଛାଦିତ

ସହରର ତୁମ ଅବହେଳିତ

ସେଇ ବସ୍ତିରେ


ଆଉ ଦିନେ ଫେରିବୁ

ସହରର ବିଭିନ୍ନ ଛକରେ

ରୁଣ୍ଡ ହବୁ ପେଟ ଭୋକର ଜ୍ୱାଳା

ମେଣ୍ଟାଇବାକୁ ହାତରେ ଥିବ

ତୁମେ ଧରାଇଥିବା ସବୁ ସରଞ୍ଜାମ

କୋଢି କୋଦାଳ ଗାଙ୍ଗୁଲା

ଦେଖା ହବ ନିଶ୍ଚିତ

ଆଉ ଥରେ ନିଜ ନିଜ

କର୍ମ କ୍ଷେତ୍ରରେ


ସାମନା ହେବ ଦିନେ ତୁମ

ଆଉ ମୋ ସାଥିରେ

କଳ କାରଖାନାରୁ ନିର୍ଗତ

କଳା ଧୂଆଁରେ

ହୋଟେଲ ଏବଂ ଢାବାର

ରୋଷେଇ ଶାଳାରେ ଅବା

ଅଇଁଠା ବାସନ ଧୋଇବା ବେଳେ

ସହରର ପ୍ରତିଟି ଗଳିକନ୍ଦିରେ

ରିକ୍ସା ଟାଣିବା ବେଳେ

କିମ୍ବା ଅଟୋରେ ଲୋକଙ୍କୁ

ଗନ୍ତବ୍ୟ ସ୍ଥଳେ ଛାଡିବା ବେଳେ


କେଉଁଠି ନା କେଉଁଠି ଭେଟ

ହୋଇଥିବ ନିଶ୍ଚିତ

ଆଖୁ ରସ କାଢିବା

କପଡା ଧୋଇବା

ଆଇରନ କରିବା

ଗୁପଚୁପ ବିକିବା

ବରା ପକୁଡି ଛାଣିବା ବେଳେ

ନାହିଁ ତ

ଉତ୍ତପ୍ତ ଇଟା ଭାଟିରେ

ଅଳଙ୍କାର ଧୋଇବା

ବାସନ ପଲିସ କରିବା

ଚୁଡି କମ୍ପାନୀରେ

ଚାଷ ଜମିରେ

ଚା ବଗିଚାରେ

ମାଲ ବୋହୁଥିବା ଗୋଦାମରେ

ଚାରିଆଡେ କେବଳ

ମୁଁ ହିଁ ମୁଁ ଥିଲି


ଥରୁଟିଏ ମନେ ପକାଇ

ଦେଖ ମୋ ଶରୀରରୁ ବୋହିଥିବା

ପ୍ରତିଟି ସ୍ୱେଦବିନ୍ଦୁ

ନେତା ଓକିଲ ଜଜ୍

ଡାକ୍ତର ସେନା ଯନ୍ତ୍ରୀ

ଠିକାଦାର ପୁଞ୍ଜିପତିଙ୍କ

ଘର ନିର୍ମାଣରେ

କିନ୍ତୁ ଦେଖା ମିଳୁନାହିଁ କାହାରି

ଏଇ ଘଡିସନ୍ଧି ମୁହୁର୍ତ୍ତରେ

ମୋର ଅବା ମୋ

ପରିବାର ଭୋକ ନିଆଁକୁ

ଲିଭାଇବା ବଦଳରେ

ଉତାରି ଦେଲ ମୋ ଚମଡା

ପରସ୍ତ ପରସ୍ତ

ଖାକିର ଲାଠି ପ୍ରହାରରେ


ଏହି ଥର

ମାତ୍ର ଥରୁଟିଏ

ଘରେ ପହଞ୍ଚେଇ ଦିଅ

ଯାନ୍ତ୍ରିକ ଯାନରେ

ବୈଦୁତିକ ବାଷ୍ପୀୟ

ଲମ୍ବା ଲମ୍ବା ସକଟରେ

ଚାହିଁ ରହିଛି ମୋ ବୁଢ଼ୀ ମା

ଫେରନ୍ତା ବାଟକୁ

ମହାମାରୀ ଦୁର୍ଦ୍ଦିନର

ଖବର ଶୁଣି ସଭିଏଁ ଆତଙ୍କିତ

ପିଲାମାନେ କାନ୍ଦୁଛନ୍ତି

ଛୋଟ କି ଅବା ବଡ

ଫୋନରେ ବ୍ୟସ୍ତ ଦାଦା ଖୁଡି

ଆମକୁ ଅଟକାଅ ନାହିଁ

ଯିବାକୁ ଦିଅ ବାରେ

ଜୀବିତ ଥିଲେ

ଆସିବୁ ନିଶ୍ଚିତ ଫେରି

ନଚେତ

ମିଶି ଯିବାକୁ ଦିଅ

ଜନ୍ମ ମାଟି ମାଆ କୋଳରେ।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy