ଅବ୍ୟକ୍ତ ଯନ୍ତ୍ରଣା
ଅବ୍ୟକ୍ତ ଯନ୍ତ୍ରଣା
ଜୀବିତ ରହିଗଲେ ପୁଣି ଥରେ
ଦେଖାହବ ପରିପୂର୍ଣ୍ଣ
କରିବା ପାଇଁ ସେଇ ନଭଶ୍ଚୁମ୍ଭୀ
ଅଟ୍ଟାଳିକା ତଳେ
ସଢି ଗଲୁଣି ଭୋକିଲା ପେଟରେ
ପ୍ଲାଷ୍ଟିକ୍ ଜରି ଆଚ୍ଛାଦିତ
ସହରର ତୁମ ଅବହେଳିତ
ସେଇ ବସ୍ତିରେ
ଆଉ ଦିନେ ଫେରିବୁ
ସହରର ବିଭିନ୍ନ ଛକରେ
ରୁଣ୍ଡ ହବୁ ପେଟ ଭୋକର ଜ୍ୱାଳା
ମେଣ୍ଟାଇବାକୁ ହାତରେ ଥିବ
ତୁମେ ଧରାଇଥିବା ସବୁ ସରଞ୍ଜାମ
କୋଢି କୋଦାଳ ଗାଙ୍ଗୁଲା
ଦେଖା ହବ ନିଶ୍ଚିତ
ଆଉ ଥରେ ନିଜ ନିଜ
କର୍ମ କ୍ଷେତ୍ରରେ
ସାମନା ହେବ ଦିନେ ତୁମ
ଆଉ ମୋ ସାଥିରେ
କଳ କାରଖାନାରୁ ନିର୍ଗତ
କଳା ଧୂଆଁରେ
ହୋଟେଲ ଏବଂ ଢାବାର
ରୋଷେଇ ଶାଳାରେ ଅବା
ଅଇଁଠା ବାସନ ଧୋଇବା ବେଳେ
ସହରର ପ୍ରତିଟି ଗଳିକନ୍ଦିରେ
ରିକ୍ସା ଟାଣିବା ବେଳେ
କିମ୍ବା ଅଟୋରେ ଲୋକଙ୍କୁ
ଗନ୍ତବ୍ୟ ସ୍ଥଳେ ଛାଡିବା ବେଳେ
କେଉଁଠି ନା କେଉଁଠି ଭେଟ
ହୋଇଥିବ ନିଶ୍ଚିତ
ଆଖୁ ରସ କାଢିବା
କପଡା ଧୋଇବା
ଆଇରନ କରିବା
ଗୁପଚୁପ ବିକିବା
ବରା ପକୁଡି ଛାଣିବା ବେଳେ
ନାହିଁ ତ
ଉତ୍ତପ୍ତ ଇଟା ଭାଟିରେ
ଅଳଙ୍କାର ଧୋଇବା
ବାସନ ପଲିସ କରିବା
ଚୁଡି କମ୍ପାନୀରେ
ଚାଷ ଜମିରେ
ଚା ବଗିଚାରେ
ମାଲ ବୋହୁଥିବା ଗୋଦାମରେ
ଚାରିଆଡେ କେବଳ
ମୁଁ ହିଁ ମୁଁ ଥିଲି
ଥରୁଟିଏ ମନେ ପକାଇ
ଦେଖ ମୋ ଶରୀରରୁ ବୋହିଥିବା
ପ୍ରତିଟି ସ୍ୱେଦବିନ୍ଦୁ
ନେତା ଓକିଲ ଜଜ୍
ଡାକ୍ତର ସେନା ଯନ୍ତ୍ରୀ
ଠିକାଦାର ପୁଞ୍ଜିପତିଙ୍କ
ଘର ନିର୍ମାଣରେ
କିନ୍ତୁ ଦେଖା ମିଳୁନାହିଁ କାହାରି
ଏଇ ଘଡିସନ୍ଧି ମୁହୁର୍ତ୍ତରେ
ମୋର ଅବା ମୋ
ପରିବାର ଭୋକ ନିଆଁକୁ
ଲିଭାଇବା ବଦଳରେ
ଉତାରି ଦେଲ ମୋ ଚମଡା
ପରସ୍ତ ପରସ୍ତ
ଖାକିର ଲାଠି ପ୍ରହାରରେ
ଏହି ଥର
ମାତ୍ର ଥରୁଟିଏ
ଘରେ ପହଞ୍ଚେଇ ଦିଅ
ଯାନ୍ତ୍ରିକ ଯାନରେ
ବୈଦୁତିକ ବାଷ୍ପୀୟ
ଲମ୍ବା ଲମ୍ବା ସକଟରେ
ଚାହିଁ ରହିଛି ମୋ ବୁଢ଼ୀ ମା
ଫେରନ୍ତା ବାଟକୁ
ମହାମାରୀ ଦୁର୍ଦ୍ଦିନର
ଖବର ଶୁଣି ସଭିଏଁ ଆତଙ୍କିତ
ପିଲାମାନେ କାନ୍ଦୁଛନ୍ତି
ଛୋଟ କି ଅବା ବଡ
ଫୋନରେ ବ୍ୟସ୍ତ ଦାଦା ଖୁଡି
ଆମକୁ ଅଟକାଅ ନାହିଁ
ଯିବାକୁ ଦିଅ ବାରେ
ଜୀବିତ ଥିଲେ
ଆସିବୁ ନିଶ୍ଚିତ ଫେରି
ନଚେତ
ମିଶି ଯିବାକୁ ଦିଅ
ଜନ୍ମ ମାଟି ମାଆ କୋଳରେ।