କୋହ
କୋହ
ଆଖି କୋରଡ଼ରୁ ବହିଯାଏ ଯାହା
ଅଟଇ ଲୁହର ଧାର
ମନ କଥା ଆଖି କହିଦିଏ ସବୁ
କୋହ ଆମ ହୃଦୟର ।
ହୃଦୟର କୋହ ବଖାଣିବା ପାଇଁ
ଓଠରେ ନ ଥାଏ ଭାଷା
ସବୁ ବୁଦ୍ଧି ବିଦ୍ୟା ବନ୍ଦ ହୋଇଯାଏ
ଇଏ ଜୀବନର ପରିଭାଷା ।
ଅନ୍ଧାର ଭିତରେ ଦୀପ ଶିଖାଟିଏ
ଖୋଜୁଥାଏ ଏ ମଣିଷ
ଅନ୍ତର ଭିତରେ ଦୁଃଖ ଚାପି ରଖି
ମୁହେଁ ରଖିଥାଏ ହସ ।
ପ୍ରତିଟି ମୁହୂର୍ତ୍ତ ଯୁଗ ପରି ଲାଗେ
ଦୁଃଖ ଆସି ପହଞ୍ଚିଲେ
ରାତି ହୋଇଯାଏ ସପତ ରାତି ତ
ସରେ ନାହିଁ କେତେବେଳେ ।
ସପତ ରାତିର ସକାଳ ବି ଅଛି
ମନେ ରଖିବାକୁ ହେବ
ଧୈର୍ଯ୍ୟର ପ୍ରାଚୀର ଭାଙ୍ଗିଗଲେ ଥରେ
ସବୁ ଶେଷ ହୋଇଯିବ ।