ଜ୍ଞାନୀ ଆଉ ଅଜ୍ଞାନୀ
ଜ୍ଞାନୀ ଆଉ ଅଜ୍ଞାନୀ
ଫଳ ଭରା ବୃକ୍ଷ ମଥା ପାତେ ସଦା
ଢେଲାର ସହି ଆଘାତ
ଅଫଳନ୍ତି ବୃକ୍ଷ ତଳକୁ ଚାହେଁନି
ଏ କଥା ଅଟଇ ସତ ।
ବିଦ୍ୱାନ ହୃଦୟ ନମ୍ରତାରେ ଭରା
ବିନୟ ବଚନ ଭାଷେ
ହିଂସା, ଅହଂକାରେ ବୁଡି ରହେ ମୂର୍ଖ
ମନ ତା ଉଡେ ଆକାଶେ ।
ଯୁକ୍ତିରେ ହାରଇ ଜାଣି ଜାଣି ବିଜ୍ଞ
ସମାଜ ହିତରେ ପୁଣି
ଅଜ୍ଞାନୀ ଭାଷଇ ଅଳପ ବିଦ୍ୟାରେ
ଅସରନ୍ତି ଜ୍ଞାନ ବାଣୀ ।
ନିନ୍ଦା, ପ୍ରଶଂସାକୁ ନ କରି ଭ୍ରୁକ୍ଷେପ
ଜ୍ଞାନୀ କରିଚାଲେ କର୍ମ
ଟିକିଏ ନିନ୍ଦାରେ ବିଚଳିତ ହୋଇ
ଅଜ୍ଞାନୀ ଭୁଲେ ତା ଧର୍ମ ।
ଜ୍ଞାନୀର ବଚନ ମହୌଷଧି ପରି
ଉପଶମେ ହୃଦ ଖେଦ
ତୀକ୍ଷ୍ଣ ଖଡ୍ଗ ପରି ଅଜ୍ଞ ର ବଚନ
ହୃଦୟକୁ କରେ ଭେଦ ।
କର୍ତ୍ତବ୍ୟ ତାହାର କରିଚାଲେ ଜ୍ଞାନୀ
ଫଳରେ ନ ରଖି ଆଶା
ଟିକିଏ କଥାରେ ଧୌର୍ଯ୍ୟହରା ହୋଇ
ଅଜ୍ଞାନୀ ହୁଡ଼ଇ ଭାଷା ।
ଜ୍ଞାନୀ ପାଏ ପୂଜା ଦେଶ ବିଦେଶରେ
ବୁଦ୍ଧି ବିବେକର ବଳେ
ଟିକିଏ ସମ୍ମାନ ପାଇଗଲେ ମୂର୍ଖ
ମାନବିକତା କୁ ଭୁଲେ । ।