କେମିତି ବଦଳି ଗଲୁ
କେମିତି ବଦଳି ଗଲୁ
ସପନ ଭାଙ୍ଗିଲା ସକାଳ ହୋଇଲା
କରି ଦେଲୁ ମୋତେ ପର
ତୁହି ତ ଜନନୀ ଅତି ଦୟାବତୀ
କିବା ମନେ ତୋର ଡର ।
ବୀରଙ୍ଗନା ପରି ତୋ ବିପତ୍ତି ବେଳେ
ଶକ୍ତି ଦେଇ ଥିଲି ଢାଳି
ସେ ଅତୀତ କଥା ଭୂଲି ଦେଲୁ ବ୍ୟଥା
ଆଶିଷ ବଦଳେ ଗାଳି ।
ଚାହିଁ ତ ଥିଲି ମାନ ଧନ ଯଶ
ସ୍ବାର୍ଥ ତ ନଥିଲି ଜାଣି
ଯେଉଁ ଦୁଃଖ ମୋତେ ଧରାଇଲୁ ହାତେ
ହୃଦୟ ହେଉଛି ହାଣି ।
ପାଞ୍ଚୋଟି ସନ୍ତାନ ସମ ଦୃଷ୍ଟି ପାଏ
ଏଇ ତ ମାତାର ଗୁଣ
କେଉଁ ଅପରାଧେ ଦୋଷୀଲୁ ମୋତେ ଲୋ
ଅନ୍ୟ ସଙ୍ଗେ ନୁହେଁ ସମ ।
ଘୋର ଅନ୍ଧକାର ଚନ୍ଦ୍ର ନଉଇଁଲେ
କି ହେବ ଫୁଟିଲେ ତାରା
ସେହି ଚନ୍ଦ୍ରମାକୁ ରାହୁ ପରି ଗ୍ରାସି
କିଣିବୁ କି ତୁହି ଧରା ।
ମାତା ମନେ ଥାଏ ଉଦାରତା ଭାବ
ଭୂମି ପରି ସହେ ସବୁ
କେଉଁ ସ୍ଵାର୍ଥ ପାଇଁ ମନେ ତୋର ଚିନ୍ତା
ନିତି ବସି ଏତେ ଭାବୁ ।
ମାନଗୋବିନ୍ଦର ଚକ୍ରବିହ୍ୟୁ ଖେଳେ
ପଡିଛି ତୋହରି ପାଦ
ବେଳ ଥାଉ ଯଦି ବୁଝି ନପାରିବୁ
ଘୋଟିବ ଲୋ ପରମାଦ ।
ତୋ ନେତ୍ରେ ବାନ୍ଧିଛି ଅନ୍ଧ ପୁଟୁଳିକୁ
ମୋ ଆଗେ ନାଚିବା ପାଇଁ
ନୀଳାଚଳେ ବସି ଜଗା ଦେଖୁଛି ଲୋ
ଉଦ୍ଧାରିବେ ମୋତେ ସେହି ।
ପର ପ୍ରରୋଚନା ଖୁସି ଲାଗେ ସିନା
ତିଳେ ତିଳେ ତଳେ ନାଶେ
ଉପରକୁ ସର ଦିଶଇ ସୁନ୍ଦର
ଭିତର ପଙ୍କରେ ଧସେ ।
କୁଚକ୍ରୀ କୁବୁଦ୍ଧି ଜନ ନୁହେଁ ଶୁଦ୍ଧି
ଦୂରେ ଯାନ୍ତି ସିନ୍ଧୁ ସୁତା
ହାହାକାର କରି ପ୍ରାଣ ଚାଲି ଯାଏ
ଶୁଣିବେନି ହର୍ତ୍ତା କର୍ତ୍ତା ।
ଯେତେ ଦିନ ଥିବୁ ମାୟା ପଟି ବାନ୍ଧି
ତୋ ଜୀବନ ଦୁଃଖମୟ
ବେଳ ଥାଉ ଯଦି ମଇଦାନ ଛାଡ଼ୁ
ମିଳିବ ତୋତେ ଆଶ୍ରୟ ।