ମମତାର ପରଶ
ମମତାର ପରଶ
ଶୋଇଥିଲି ମୁହିଁ ଅଭଙ୍ଗା ନିଦରେ
ଧଳା ଚାଦରଟେ ଘୋଡେଇ ହୋଇ ,
ତୁମେ ଦୁହେଁ ଆସି ମୋ ' ପାଖରେ ବସି
ମୁରୁକି ହସିଲ ଆଉଁସି ଦେଇ ।
ମୁରୁକି ହସର କୋମଳ ପରଶେ
ବିଜୁଳି ଚମକ ଖେଳିଲା ସେହି ,
ସପନରେ ଆସି ପୋଡିଦେଲ ତୁମେ
ଚଦରଟା ଗଲା ପାଉଁଶ ହୋଇ ।
କଞ୍ଚା ନିଦଟାରେ ନିଦ ଭାଙ୍ଗିଗଲା
ନିମିଷେ ଅନ୍ଧାର ଗଲା ପଳେଇ ,
ସପନ ଭାଙ୍ଗିଲା ନୟନ ଭିଜିଲା
ତୁମେ ଦୁହେଁ ମିଶି ଗଲ ଉଭେଇ ।
ହସିଦେଇ ତୁମେ କନ୍ଦାଇଲ ମତେ
କଲବଲ ମତେ କଲ କିମ୍ପାଇଁ ?
ତୁମରି ପଥର ପଥିକ ଥିଲି ମୁଁ'
ଫେରେଇଲ ମତେ କାହିଁକି ଛୁଇଁ ?
ମଶାଣି ଭୁଇଁରେ ସେଦିନ ନ'ଥିଲି
ଶେଷ ଦରଶନ କରିବା ପାଇଁ ,
ଭାସ୍ୟମାନ ଯନ୍ତ୍ର ଭିତରେ ଦେଖିଲି
ହୁତୁ, ହୁତୁ ଯେବେ ଜଳିଲା ଜୁଇ ।
ବିଧିର ନିର୍ଦେଶେ ହାତ ଧରି ଦୁହେଁ
ଡକାଡକି ହୋଇ ଗଲ ପଳେଇ ,
ଭଲ ପାଇବାର ପୂର୍ଣ୍ଣଛେଦ ତମେ
ସବୁଦିନ ପାଇଁ ଦେଲ ପକେଇ ।
ଭୁଲିନି କେବେ ମୁଁ' ଭୁଲି ପାରୁନାହିଁ
ଶୋଇ ପାରୁନାହିଁ ନିଶ୍ଚିନ୍ତ ହୋଇ ,
ଚାହେଁ ବା' ନ'ଚାହେଁ ଏ' ଭରା ସଂସାରେ
ତୁମ ପରି ଆନ ଆଉ କେ' ନାହିଁ ।