ଅତୀତ ବିଷାଦ ଗାଥା
ଅତୀତ ବିଷାଦ ଗାଥା
ନମି ଯାଏ ଆଖି ରକ୍ତ ନଦୀ ଦେଖି
ଲେଖନୀ ଅଚଳ ପ୍ରାୟେ
ଲୋହିତ ବର୍ଣ୍ଣକୁ କୋଳାଗ୍ରତ କରି
ଶବ ଏଠି ଭାସୁ ଥାଏ ।
ମନୁଷ୍ୟ ମନରେ ଐଶ୍ଵର୍ଯ୍ୟ ଲାଳସା
କରି ଦିଏ ଦୃଷ୍ଟିହୀନ
କୁତ୍ସିତ କଳ୍ପନା କରୁ ଥାଏ ନିତି
ଜାଳି ସନମାନ ମାନ ।
ନେତ୍ର କୋଣେ ସୃଷ୍ଟି ଦୁଃଖ ଜଳସ୍ଫୀତି
ଯେବେ ଧୀରେ ଭାସି ଆସେ
ଶାନ୍ତି ବାର୍ତ୍ତାବହ ଧଉଳି ଶିଖର
ମୃତ୍ୟୁ ଅଟ୍ଟହାସ୍ୟ ଦିଶେ ।
ଘାତ ଦେଇ ଉଠେ ଅତୀତର ଗାଥା
ଅଶୋକ ସମ୍ରାଟ ଲୀଳା
ନିର୍ଦ୍ଦୋଷ ରମଣୀ କି ଅବା ଶିଶୁର
ଲହୁରେ ରଚିତ ଖେଳା ।
ଆପଣା ସାମ୍ରାଜ୍ୟ ବିସ୍ତାର ପାଇଁକି
ହୃଦୟେ କଠୋର ସ୍ଥିର
ଆକ୍ରୋଶ ମୂଳକ ଉତ୍କଳରେ ରଣ
ଆରମ୍ଭିଲେ ଅକ୍ତିଆର ।
ଅତି ପରାକ୍ରମୀ ସମ୍ରାଟ ସମ୍ମୁଖେ
ହାରିଲେ ଉତ୍କଳ ରାଜା
କେତେ ଯେ ଲିଭିଲା ଜୀବନ ପ୍ରଦୀପ
କେତେକ ଲଭିଲେ ସଜ୍ଜା ।
ଲୋଟି ଗଲା କେତେ କଟା ଶିର ଦେହ
ଜୁଡୁବୁଡୁ ରକ୍ତ ବୋଳା
ଦୟା ନଦୀ କୋଳେ ଭାସୁ ଥାଏ ଖାଲି
ଦୋଷହୀନ ଶବ ଭେଳା ।
ନିର୍ମମ ଜହ୍ଲାଦ ଅଶୋକ ସମ୍ରାଟ
ହୃଦୟରେ ଅନୁରକ୍ତି
ଧିକାରି ଉଠିଲା ବୀର ପୁରୁଷ ର
କରୁଣ କୁକର୍ମ କୀର୍ତ୍ତି ।
ହାତରୁ ଛାଡିଲେ ରକ୍ତ ଭିଜା ଖଡ଼ଗ
ମନ ଚଳେ ଶାନ୍ତି ପାଇଁ
ବୌଦ୍ଧ ପ୍ରଚାରକ ମାର୍ଗ ଆପଣାଇ
ଜନ ମନ ନେଲେ ମୋହି ।
ହେଲେ କି ଲିଭିବ ରକ୍ତ ଚିତ୍ରପଟ
ଲୋମହର୍ଷଣର ବ୍ୟଥା
ହୃଦୟ ଥରାଏ ଲୋତକ ଝରାଏ
ଧଉଳି ସ୍ତୁପର ଗାଥା ।
ଯେତେ ହେଉ ଶୁଭ୍ର ଚାରୁ ରୂପ କାନ୍ତି
କଣ୍ଠେ ଲହୁ ମୋତି ହାର
କହି ଦେଉ ଥାଏ ଉଜ୍ଜଳିତ ଜ୍ୟୋତି
କେତେ ଆଘାତର ବାର ।
ଅତିଶୟ କ୍ରୋଧ ଧ୍ୱଂସ ମୁଖେ ନିଏ
ଭାଙ୍ଗି ଦେଇ ଅଭିମାନ
ରାଜା ହେଉ ମାନୀ କାହାକୁ ଛାଡେନା
କାହିଁକି କରିବା ଟାଣ ।