STORYMIRROR

Sanjukta Rout

Tragedy Others

4  

Sanjukta Rout

Tragedy Others

ରାହା ପାଉନାହିଁ ଖୋଜି

ରାହା ପାଉନାହିଁ ଖୋଜି

1 min
493


କାହିଁକି ହେ ପ୍ରଭୁ କେଉଁ ଉଦ୍ଦେଶ୍ୟରେ 

     ଆଣିଛ ଧରାକୁ ମୋତେ 

ପ୍ରତି ମୁହୂର୍ତ୍ତରେ   ଦୁଃଖ କଷ୍ଟ ଦେଇ

     ପରୀକ୍ଷା ନେଉଛ କେତେ ?? 


ଅଳିକ ଜୀବନ  କରେ ମ୍ରିୟମାଣ 

    ଶାନ୍ତି ପାଉ ନାହିଁ କାହିଁ 

ଅବିଶ୍ରାନ୍ତ କର୍ମ   ଜଞ୍ଜାଳ ମଧ୍ୟରୁ 

    ବିରତି ଯେ ମିଳୁ ନାହିଁ  ?? 


ସ୍ଥିତି ପରିସ୍ଥିତି    ଚକ୍ରବିହ୍ଵେ ଆଜି 

     ଜୀବନଟା ଅସ୍ତବ୍ୟସ୍ତ 

ମୋର ବୋଲି କିଛି ରଖିନି ପ୍ରଭୁ ହେ 

    ସବୁ ତୁମ ପରେ ନ୍ୟସ୍ତ ॥ 


ତଥାପି କାହିଁକି  ଦୁଃଖ ଅବସାଦ 

  ମନେ ଭରେ ମୋର ଖେଦ 

ନିଃସଙ୍ଗ ଲାଗୁଛି ଜୀବନଟା ଆଜି 

    ବଞ୍ଚିବା ଯେମିତି ବାଧ୍ୟ  ॥ 


କେବେ କେବେ ପୁଣି ମୁହୂର୍ତ୍ତମାନ ଯେ 

    ଲାଗେ ମୋତେ ଅସହାୟ

ସବୁ ବୁଝି କାହିଁ ବେଳେବେଳେ ପ୍ରଭୁ  

    ହୋଇଯାଏ ନିରୁପାୟ  ॥ 


ଆତ୍ମ ବିଶ୍ଵାସ ମୋ ହଜି ହଜି ଯାଏ 

    ଜୀବନଟା ଲାଗେ ବ୍ୟର୍ଥ 

ଅବ୍ୟକ୍ତ ବେଦନା ବଢ଼ି ବଢ଼ି ଯାଏ 

   ସମ୍ପର୍କରେ ଦେଖି ସ୍ଵାର୍ଥ ॥


କୁହେଳିକାମୟ ଏହି ଯେ ଦୁନିଆଁ 

    ସବୁ ଥାଇ ଲାଗେ ଶୂନ୍ୟ 

ସ୍ଵାର୍ଥର ସର୍ବସ୍ଵ  ଆଜି ଏ ପୃଥିବୀ 

    ଆତ୍ମୀୟତା ଏଠି ନ୍ୟୁନ  ॥


ଭାଗ୍ୟ ବିଡମ୍ବନା  ନିଷ୍ଠୁର ତାଡନା

    ଅସହ୍ୟ ହେଲାଣି ଆଜି 

ନୈରାଶ୍ୟ ମଧ୍ୟରେ ଆଶା ଯାଏ ହଜି  

    ରାହା ପାଉ ନାହିଁ ଖୋଜି  ॥ 


ନିଜ ଭାଗ୍ୟ ଯଦି ଉପହାସ କରେ 

  ଦୋଷ ଦେବି ମୁଁ ଯେ କାରେ 

ଛଳନା କରୁଛି ନିଜ ସାଥେ ନିଜେ 

   ମିଛ ଆଶ୍ଵାସନା ଧାରେ  ॥  


ଦଣ୍ଡିବା ଶକତି   ଅଛିଟି ଯାହାର 

  କ୍ଷମା ଗୁଣେ ସେହୁ ଶ୍ରେଷ୍ଠ 

କ୍ଷମ କ୍ଷମାମୟ ଆହେ ଦୁଃଖହାରୀ 

   ତୁମେ ପ୍ରଭୁ ମୋର ଇଷ୍ଟ  ॥ 

    

ଅପରାଧ ଯଦି     କରି ଅଛି କିଛି 

     ଶ୍ରୀଛାମୁରେ ଆହେ ହରି  

ଦୟା ବହି ହୃଦେ ନାଶ ମୋର ଦୋଷ  

     ଦୁଃଖ ଦିନ ଯାଉ ସରି  ॥ 

    

ଶ୍ରୀପଦେ ଶରଣ   ମାଗୁଛି ଅଧମ 

   ଆହେ ପ୍ରଭୁ ବନମାଳୀ 

ଢ଼ାଳି ଦିଅ ଦିବ୍ୟ କୃପାରୁ ଟୋପାଏ

   ପୁରି ଉଠୁ ଶୂନ୍ୟ ଥାଳି ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy