ଭକ୍ତି ନିବେଦନ
ଭକ୍ତି ନିବେଦନ
ୟାସ ମହାବାତ୍ୟା, ହୋଇ ଆବିର୍ଭୁତ, ଲୁଟି ନେବ ଯେ ମଗଜ,
ଭାରତ ବର୍ଷଯେ ବିଷମୟ ପ୍ରଭୁ, ବିଷମ ସମୟ ତେଜ୍ୟ ।
ଭାରତ ବର୍ଷରେ, ଚହଳି ପଡିଛି, ୟାସ ମହାବାତ୍ୟା ପାଇଁ,
ଗର୍ଜନ କରିଣ, ମାଡି ଆସୁଅଛି, ନିଜର କାୟା ମେଲାଇ ।
ୟାସ ମହାବାତ୍ୟା ଗର୍ଜନ କରିଣ, ବିକଟାଳ ରୂପ ଧରି,
ମାଡି ଆସୁଅଛି, ଅଶାନ୍ତ ରୂପରେ, ବହୁରୂପୀ ରୂପଧରି ।
କେତେ ଯେ ଜୀବନ, ଅକାଳେ ନେବ ଯେ, ୟାସ ମହାବାତ୍ୟା ପାଇଁ,
କେତେ ଯେ ଆକ୍ରାନ୍ତ, ହୋଇଯିବେ ପୁଣ, ହିସାବ ରହିବ ନାହିଁ ।
ଅଶାନ୍ତ ସମୁଦ୍ର, ଉଛୁଳା ଛାତିରୁ, ୟାସ ଆସୁଅଛି ମାଡି,
ନିଶ୍ଚିହ୍ନ କରିବ, କେତେ ଘରଦ୍ୱାର, ଉଜାଡ଼ିବ କ୍ଷେତ ବାଡ଼ି ।
ଉଦ୍ଧତ ପବନ, ସାଥେ ଧରି ପୁଣି, ରଚିବ ତାଣ୍ଡବ ଲୀଳା,
ଅକାଳେ କେତେ ଯେ, ପରାଣ ନାଶିବ, ଦେଖି ବୁଡ଼ିଯିବ ଭେଳା ।
ବରଷା ପ୍ରକୋପ, ସୁଉଚ୍ଚ ସଉଧ, ଭାସି ହୋଇଯିବ ଲୀନ,
କେତେ ବୃକ୍ଷଲତା, ଧରାଶାୟୀ ହେବେ, ମାଆ କୋଳ କରି ଶୂନ୍ୟ ।
କେତେ ଯେ ଓଠରୁ, ହସ ଲିଭିଯିବ, ଝରିବ ଲୁହର ଧାର,
ମହାମାରୀ ସାଥେ, ମହାବିପତ୍ତି ବି, ଦୁଃଖ ଯେ ଦେବ ଅପାର ।
ଆହେ ଦୟାମୟ, ସୁନ୍ଦର ଉଜ୍ଜ୍ୱଳ, ମନ ମନ୍ଦିରର ରାଜ,
ହୃଦୟ ଦୁଆର, ଉନ
୍ମକ୍ତ ରହିଛି, ଦେଖାଦିଅ ହୃଦରାଜ "
ମୃତ୍ୟୁଦୂତ ଆଜି, ଆତଙ୍କ ଖେଳାଏ, ଅଦୃଶ୍ୟରେ କରି ରାଜ,
ହେ ପରମବ୍ରହ୍ମ, ଶୀଘ୍ର ରକ୍ଷାକର, ହୋଇଣ ଯେ ସଜ ବାଜ ।
ବିପର୍ଯ୍ୟୟ କାଳେ, ଆସ୍ଥା ରଖିଅଛୁ, ହୃଦୟ ବୀଣାରେ ବାଜ,
ଦୁର୍ବିସହ ପ୍ରାଣ, କରୁଛି କ୍ରନ୍ଦନ, ଆସ ପ୍ରଭୁ ଆସ ଆଜ ।
ତନ୍ଦ୍ରା ତେଜି ପ୍ରଭୁ, ଆହେ ଜ୍ୟୋତିର୍ମୟ, ମନ ମନ୍ଦିରେ ବିରାଜ,
ସ୍ୱର୍ଗପୁର ଧରା, ହେଉ ଏ ଜଗତ, ପ୍ରୀତି ଫୁଲେ ତାକୁ ସାଜ ।
ତିକ୍ତ ପ୍ରାଣେ ପ୍ରାଣୀ, ଡାକୁଛି ବିକଳେ, ହେ ପ୍ରଭୁ ଜଗତ ରାଜ,
ବିନାଶ କାଳରେ, ବିଶ୍ୱାସ ମାଳାରେ, ବିଶ୍ୱକୁ ଦିଅ ହେ ତେଜ ।
ଆମ୍ଭେ ବିଶ୍ୱବାସୀ, ଡ଼ାକୁଛୁ ସମସ୍ତେ, ରକ୍ଷାକର ମହାବାହୁ,
ରଖିଲେ ରଖିବ, ମାରିଲେ ମାରିବ, ତୁମ ଆଶୀର୍ବାଦ ରହୁ ।
ହେ ଦିବ୍ୟପୁରୁଷ, ତ୍ରିଭୁବନ କର୍ତ୍ତା, ଜଗଦ୍ଦିପ୍ତି ଦୀନବନ୍ଧୁ,
ଉପମା ରହିତ, ଅନାଦି ଅନନ୍ତ, ତୁମେ କରୁଣାର ସିନ୍ଧୁ ।
ବଡ଼ ଠାକୁର ତୁ, ବଡ଼ ତୋର ନେତ, ବଡ଼ ଆଖିରେ ତୁ ଦେଖୁ,
ଏତେ ବଡ଼ ନାମ, ବହିଛୁ ତଥାପି, ରୋକିପାରିବୁନି ତାକୁ ।
ପ୍ରତ୍ୟେକ ଯୁଗରେ, ରାକ୍ଷସ ମାରିଣ, ଭକତକୁ ରକ୍ଷା କର,
ବିଶ୍ୱକୁ ଚଳାଅ, ସୁଖ ଦାନ କରି, ଭକ୍ତକୁ ନିଜର କର ।