ବୁଦ୍ଧ ପୂର୍ଣ୍ଣିମା
ବୁଦ୍ଧ ପୂର୍ଣ୍ଣିମା
ଯୁଗେ ଯୁଗେ ପ୍ରଭୁ, ବିଶ୍ଵରୂପ ଧରି, ହୋଇଥାନ୍ତି ଅବତାର,
ସ୍ଥାପନ କରନ୍ତି, ଶାନ୍ତି ଓ ଧର୍ମକୁ, ହୋଇ ଭିନ୍ନ ରୂପାନ୍ତର ।
ଖ୍ରୀଷ୍ଟପୂର୍ବ ପାଞ୍ଚ, ଶହ ଛଅସଠି, ବୈଶାଖ ପୂର୍ଣ୍ଣିମା ଦିନେ,
ନେପାଳ ଦେଶର, କପିଳାଵସ୍ତୁରେ, ଲମ୍ବିନି ସେ ଉପବନେ ।
ବୈଶାଖ ପୂର୍ଣ୍ଣିମା, ସ୍ୱଚ୍ଛ ଚନ୍ଦ୍ରବାରୀ, ଝଟକିଲା ତାଙ୍କ ମୁଖ,
ଅନୁଭବ ହେଲା, ଆଦି ଅନନ୍ତର, ଚିରନ୍ତନ ସତ୍ୟ ସୁଖ ।
ଜାତ ହୋଇଥିଲେ, ଗଉତମବୁଦ୍ଧ, ଶୁଦ୍ଧୋଦନଙ୍କ ଔରସେ,
ପୁତ୍ର ପାଇ ମାତା, ରାଣୀ ମାୟାଦେବୀ, କୋଳାଗ୍ରତରେ ହରଷେ ।
ବିଶ୍ୱ ବ୍ରହ୍ମାଣ୍ଡରେ, ଶାନ୍ତିର ବାରତା, ଜିତିଲା କାମନା ଯୁଦ୍ଧ,
ନବମ ଈଶ୍ୱର, ନାମେ ଗଣା ଆଜି, ଅହିଂସାର ସ୍ରଷ୍ଠା ବୁଦ୍ଧ ।
ହେ ଦିବ୍ୟ ପୁରୁଷ, ଶାନ୍ତିର ବାହକ, ଜଗଦ୍ଦିପ୍ତି ଦୀନବନ୍ଧୁ
ଉପମା ରହିତ, ଅନାଦି ଅନନ୍ତ ତୁମେ କରୁଣାର ସିନ୍ଧୁ
।
ଦଶ ଅବତାରୀ, ଆହେ ଶାନ୍ତିଦୂତ, ଶାନ୍ତିପଥ ପ୍ରଚାରକ,
କେତେ କଷ୍ଟ କରି, ମାନବ ପାଇଁକି, ଆସିଲ ଶାନ୍ତି ବାହକ ।
ତୁମ ସେଵାପଣ, ଜଗତେ ବିଖ୍ୟାତ, ହେଉଛୁ ତୁମକୁ ଝୁରି,
ହେ ମହାନାୟକ, ସତ୍ୟର ପୂଜାରୀ, ମାନବର ସେବାକାରୀ ।
ହେ ବିଶ୍ୱନାୟକ, ଶାନ୍ତିର ପୂଜକ, ଅହିଂସାର ଦେବଦୁତ
ମାନବ କଲ୍ୟାଣ, ନିମିତ୍ତ ସର୍ବଦା, ତୁମେ ଅଟେ ସମର୍ପିତ ।
ଚନ୍ଦ୍ର ବିଧୁରିତ, ପୂର୍ଣ୍ଣତା ରଜନୀ, ନିଷ୍ପଦତା ରାଜଗୃହ,
ଶିଶୁ ପୁତ୍ର ନାରୀ, ଐଶ୍ଚର୍ଯ୍ୟ ମମତା, ସିଂହାସନ ତ୍ୟାଗୀ ମୋହ ।
ନିର୍ବାଣ ପ୍ରାପ୍ତିର, ମନେ ଆଶା ବାନ୍ଧି, ଅଜଣା ପଥର ଯାତ୍ରୀ,
ନିରଞ୍ଜନା ତଟ, ସଂକୁଳ ବନାନୀ, ତପସ୍ୟାରେ ଦିନରାତି ।
ଆହେ ମହାତ୍ମା ଜୀ, ତୁମ ପାଦେ ମତି, ରହୁ ମୋର ନିରନ୍ତର,
ସତ୍ୟ ଓ ଶାନ୍ତିକୁ, ସାଇତି ରଖିବି, ଜପିବି ମହାମନ୍ତର ।