ଅନନ୍ୟ ଭ୍ରମରୀ
ଅନନ୍ୟ ଭ୍ରମରୀ
('ଅ ' ଅନୁପ୍ରାସରେ...ରାଗ-ରସକୁଲ୍ୟା)
ଅସତ୍ୟ ଘନ ତିମିରେ ଜୀବନ
ଅନ୍ତଃସ୍ଵରେ ଆର୍ତ୍ତୀ କାୟା ଦହନ,
ଅନ୍ତରୁ ଅନନ୍ତର ଆକର୍ଷଣ
ଅଞ୍ଜଳିରେ ଭରା କି,ସମ୍ମୋହନ ସେ
ଅସରା ପ୍ରାଣେ ମିଳନ ଯେ,
ଅନ୍ଧାରୀ ଅଙ୍କେ ଅଦୃଶ୍ୟ ରଙ୍ଗେ ଅନ୍ତରରେ ବିକଚ ପ୍ରସୂନ ଯେ.... Il
ଅକର୍ମେ କର୍ମଦାତା ଚକ୍ରପାଣି
ଅକାରଣ କାରଣ ହୃଦ ଜାଣି,
ଅକପଟ ଆତ୍ମାର ପ୍ରିୟମଣି
ଅକରୁଣ ନୁହନ୍ତି ପ୍ରଭୁ ପୁଣି ସେ,
ଅକ୍ଷୀବ ପରାଣ ଗୁଣି ଯେ
ଅକଳ୍ମଷ ଭାବ ଅନୁକମ୍ପା ନାଵ ଅନ୍ତଯାଏ ନିଷ୍ଠା ଆଣି ଯେ... Il
ଅଗୋଚର ଅନୁତାପ ପରାଣ
ଅଗାଧ ଅପରୂପ ଶ୍ୟାମଘନ
ଅଗୋପନ ମହାଭାବ ବନ୍ଧନ
ଅଗତିରଗତି ମନବୀଣାରେ ସେ,
ଅଗମ୍ୟ ନୁହେଁ ହୃଦରେ ଯେ
ଅନ୍ତରେ ଆଗମ,ନିଗମ ଭାବାନୁଭବ ସମ ଭକ୍ତିସୁରେ ଯେ..... Il
ଅଶ୍ରୁନୀରକୁ ସମ୍ପତ୍ତି କରିଛି
ଅଭୟ ଚରଣେ ଚିତ୍ତ ବିକିଛି,
ଅଳିହୋଇ କଳିପାଶେ ଧାଇଁଛି
ଅ
ନୁକମ୍ପାକୁ ପ୍ରତୀକ୍ଷା କରିଛି ସେ,
ଅପାର ଆଶା ବାନ୍ଧିଛି ଯେ
ଅଣଦେଖା ଜାତକରି ଯାତନା କିବା ଦେଖି ହରି ମୁରୁଛି ଯେ ......ll
ଅନୁଭବ ପ୍ରାଣେ ନିରାଜନାରେ
ଅରୁଣିମାର ଅର୍ଘ୍ୟ ପୂର୍ବାଶାରେ,
ଅମ୍ଲାନ ଜ୍ୟୋତିର ଅମୀୟ ଧାରେ
ଅମୃତମୟ ତନ୍ମୟତା ସୁରେ ସେ
ଅନନ୍ୟ ଭ୍ରମରୀ ପରା ଯେ,
ଅନୁରାଗ ଭରାମନ ସାନିଧ୍ୟରେ ବୃନ୍ଦାବନ ମଧୁଝରା ଯେ.... Il
ଅବୁଝା ଆବେଗ ହୃଦୟେ ନେଇ
ଅନାବିଳ ଶ୍ରଦ୍ଧା ସ୍ୱାନ୍ତ୍ଵନା ହୋଇ
ଅଶ୍ରୁନୀରେ ସିକ୍ତ ପ୍ରାଣ ଦହଇ
ଅବିଶ୍ୱାସ ଭଉଁରୀ କାତ ନାହିଁ ସେ,
ଅନୁଗ୍ରହ ଭାବପାଇଁ ଯେ,
ଅନ୍ତର୍ଯ୍ୟାମୀ ବିଭୁତି ମହାର୍ଘ୍ୟ ସମ୍ପତ୍ତି ପ୍ରଣତି ଝୁରୁଥାଇ ଯେ.... Il
ଅନୁନୟ,ବିନୟ ଦେବରାୟ
ଅହରହ ହୃଦେ ଭରି ଅଭୟ,
ଅମୃତ ବିଶ୍ୱହେଉ ମଧୁମୟ
ଅଭିଳାଷ ମୋହ ତୁଟାଇ ଭୟ ସେ
ଅର୍ଚ୍ଚନାରେ ବରାଭୟ ଯେ,
ଅମୋଘ ସଞ୍ଜିବନୀ ଆଶିଷେ ଆତ୍ମାଧନୀ ବାଧାକୁ ସହାୟ ଯେ.... Il